ନିଜେ ଭିଆଇଥିବା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲେ ଅନୁପ୍ :  କେମିତି ଓ କାହିଁକି କରିଥିଲେ ହତ୍ୟା ? 

1,205

କନକ ବ୍ୟୁରୋ : ପରକୀୟା ପ୍ରୀତିରୁ ହତ୍ୟା । ଲୁହା ଛଡ଼ରେ ପିଟିପିଟ ମୃତକଙ୍କୁ ହତ୍ୟା କରିଥିଲେ ଅନୁପ ସାଏ  ।  ବ୍ରଜରାଜନଗରର ୩-୩ ଥର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ଚେହେରା ଅନୁପ ସାଏ, ବହୁ ଚର୍ଚ୍ଚିତ ଡବଲ୍ ମର୍ଡର ଘଟଣା ପାଇଁ ଗିରଫ ହୋଇଛନ୍ତି । ଗିରଫ ପରେ ମର୍ଡ଼ର ମିଷ୍ଟିର ଖୁଲାସା ହୋଇଛି । କେମିତି ଓ କାହିଁକି କରିଥିଲେ ହତ୍ୟା ? ନିଜେ ବଖାଣିଛନ୍ତି ଅନୁପ୍ ସାଏ । ବିବାହ ପାଇଁ କଳ୍ପନା ଚାପ ପ୍ରୟୋଗ କରିବାରୁ ଅନୁପ ନିଜେ ତାଙ୍କୁ ଲୁହା ରଡ଼ରେ ପିଟି ପିଟି ମାରିଦେଇଥିଲେ ବୋଲି  ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।  ରାୟଗଡ଼ରେ ବିବାହ କରିବାକୁ କହି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ଅନୁପ୍ । ରାୟଗଡ଼ ଜଙ୍ଗଲ ନିକଟରେ କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରିଥିଲେ  ।

ପରକୀୟା ପ୍ରୀତି ଏବଂ ହତ୍ୟା ଭଳି ସାଂଘାତିକ୍ ଅଭିଯୋଗରେ ଅନୁପ ସାଏଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ୨୦୦୫ ମସିହାରେ ମୃତକ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ଆଉ ତା’ପରେ ଅନୁପଙ୍କ ସଂଷ୍ପର୍ଶରେ ଆସିଥିଲେ କଳ୍ପନା । ଭୁବନେଶ୍ୱରରେ ପୂର୍ବତନ ବିଧାୟକ ଅନୁପଙ୍କ ସହ ରହୁଥିଲେ କଳ୍ପନା । ବିବାହ ନକରି ଉଭୟେ ବିବାହିତଙ୍କ ପରି ରହୁଥିଲେ । ସବୁ ଠିକଠାକ୍ ଚାଲିଥିଲା, ହେଲେ ବିବାହ ପାଇଁ ଚାପ ପ୍ରୟୋଗ କରିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଆଉ ତା’ପରେ ମର୍ଡ଼ର ପାଇଁ ଯୋଜନା କରିଥିଲେ ଅନୁପ୍ । ରାୟଗଡ଼ରେ ବିବାହ କରିବା କହି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ଅନୁପ୍ । ରାୟଗଡ଼ ଯିବା ବାଟରେ ଜଙ୍ଗଲରେ ଲୁହା ରଡ଼ରେ ପିଟି ପିଟି ମୃତକଙ୍କୁ ହତ୍ୟା କରିଥିଲେ । ପରେ ଡ୍ରାଇଭର୍ ସହ ମିଶି ମୃତଦେହ ଉପରେ ଗାଡ଼ି ଚଢାଇଥିଲେ ।

ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଜଣେ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ ସାଏ କୌଣସି ଏତଲା ଦେଇନଥିଲେ । ୨୦୧୧-୧୬ ରେ ସାଙ୍ଗରେ ଥିବା ସତ୍ତେ୍ୱ ଏତଲା ନଦେବା ସନ୍ଦେହ ବଢାଇଥିଲା । ମୃତକଙ୍କ କଲ୍ ଡିଟେଲସ୍ ଯାଞ୍ଚ୍ ପରେ ଅନୁପ ସନ୍ଦେହ ଘେରକୁ ଆସିଥିଲେ । ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ନଜର ରଖିଥିଲା ଛତିଶଗଡ଼ ପୁଲିସ୍ । ପୁଲିସର ନୋଟିସ୍ ସତ୍ତେ୍ୱ ହାଜର ହେଉନଥିଲା ଅନୁପ ସାଏ । ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନିନଥିବା କହିଥିଲେ ଅନୁପ ।

ଅନୁପ ସାଏଙ୍କ ନାର୍କୋଟେଷ୍ଟ କରିବ ଛତିଶଗଡ଼ ପୁଲିସ । ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ସହ ଅନୁପଙ୍କ ଫିଙ୍ଗରପ୍ରିଣ୍ଟ୍ ମେଳ କରାଯିବ । ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ କରାଯିବ ।  ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି ।