ନାର୍କୋଟେଷ୍ଟ ପାଇଁ ଅରାଜି ହତ୍ୟାକାରୀ : ହତ୍ୟା କରିଥିବା ଅନୁପ ମାନୁଛନ୍ତି, ହେଲେ ନାର୍କୋଟେଷ୍ଟ ପାଇଁ ରାଜି ହେଉନାହାନ୍ତି

599

କନକ ବ୍ୟୁରୋ : ହତ୍ୟାକାଣ୍ଡ ଉପରୁ ପରଦା ହଟିସାରିଛି । କେମିତି ଓ କାହିଁକି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ, ପରକୀୟା ପ୍ରୀତି ପାଇଁ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ତାହା ମଧ୍ୟ ଜଣାପଡ଼ି ସାରିଛି ।  ଆଜି ସାମ୍ବାଦିକ ସମ୍ମିଳନୀ କରି ଛତିଶଗଡ ପୋଲିସ ସମସ୍ତ ସୂଚନା ଦେଇଛି । ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବାପରେ ବି ନାର୍କୋଟେଷ୍ଟ ପାଇଁ ରାଜି ହେଉନାହିଁ ଅଭିଯୁକ୍ତ । ହତ୍ୟା କରୁଥିବା କଥା ମାନିଲେ ବି ନାର୍କୋଟେଷ୍ଟ କରିବା ପାଇଁ ଅରାଜି ହେଉଛନ୍ତି । ।

ହେଲେ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ ବୋଲି କହିଛି ଛତିଶଗଡ଼ ପୁଲିସ । ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ସହ ଅନୁପଙ୍କ ଫିଙ୍ଗରପ୍ରିଣ୍ଟ୍ ମେଳ କରାଯିବ । ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ କରାଯିବ ।

ନାର୍କୋ ଟେଷ୍ଟ୍ ଏଭଳି ଏକ ପ୍ରକ୍ରିୟା ଯାହାର ପ୍ରୟୋଗରେ ବ୍ୟକ୍ତିକୁ କୃତ୍ରିମ ନିଦ୍ରା ଆସିଥାଏ । ନାର୍କୋ ଟେଷ୍ଟ ଟ୍ରୁଥ୍ ଡ୍ରଗ୍ସ ନାମରେ ମଧ୍ୟ ପରିଚିତ । ଟ୍ରୁଥ୍ ଡ୍ରଗ୍ସ ଏକ ସାଇକୋ ଆକ୍ଟିଭ ଔଷଧ  ଯାହା ପ୍ରୟୋଗ ଫଳରେ ବ୍ୟକ୍ତିର ମସ୍ତିଷ୍କର ତ୍ୱରିତ ପ୍ରତିକ୍ରିୟା ଦେଉଥିବା ଅଙ୍ଗ ଅଚଳ ହୋଇଥାଏ । ଏହା ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ । ତେବେ ଏହି ଟେଷ୍ଟ ଦେବାକୁ ମନା କରୁଛନ୍ତି ଅଭିଯୁକ୍ତ ଅନୁପ ସାଏ ।

ଛତିଶଗଡ଼ ପୋଲିସ ଅନୁସାରେ ନାର୍କୋଟେଷ୍ଟ ପାଇଁ ଅଭିଯୁକ୍ତର ସହମତି ଆବଶ୍ୟକ । ଏଥିପାଇଁ କୋର୍ଟର ପ୍ରକ୍ରିୟା ରହିଛି । କୋର୍ଟର ନିଷ୍ପତ୍ତି ଅନୁସାରେ ଅଭିଯୁକ୍ତର ନାର୍କୋଟେଷ୍ଟ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି ।

ସେପଟେ ଘଟଣା ବିଷୟରେ ଜାଣିବା ପରେ ମୃତ କଳ୍ପନା ଦାସଙ୍କ ସ୍ୱାମୀ କହିଛନ୍ତି, ମୋ ଝିଅର ହତ୍ୟାକାରୀକୁ ଫାଶୀ ଦିଆଯାଉ । ମୋ ୧୪ ବର୍ଷର ଝିଅ କ’ଣ ଭୁଲ କରିଥିଲା । ସମ୍ପର୍କର ମାନେ ଜାଣିବା ପୂର୍ବରୁ ତାକୁ କାହିଁକି ମାରିଦିଆଗଲା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପ୍ରୀତି ଓ ବୀଭତ୍ସ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ପରେ କଳ୍ପନାଙ୍କ ପୂର୍ବତନ ସ୍ୱାମୀ ଏପରି ଦାବି କରିଛନ୍ତି ।