କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ସାଂସଦ : ଜିଲ୍ଲାରେ ସୁପରସ୍ପେସାଲିଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜଣାଇଲେ ଅନୁଭବ ମହାନ୍ତି

457

କନକ ବ୍ୟୁରୋ : କେନ୍ଦ୍ରାପଡ଼ାବାସୀଙ୍କ ଚିନ୍ତାରେ କେନ୍ଦ୍ରାପଡ଼ା ସାଂସଦ । କେନ୍ଦ୍ରାପଡ଼ା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସାଂସଦ ଅନୁଭବ ମହାନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଏକ ସୁପର ସ୍ପେସାଲିଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ଅନୁଭବ ମହାନ୍ତି । ଏହାଦ୍ୱାରା ସ୍ଥାନୀୟ ଅଂଚଳ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ସୁବିଧା ଯୋଗାଇଦେବ । କେନ୍ଦ୍ରାପଡ଼ାରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପହଁଚ ସୁନିଶ୍ଚିତ କରିବା ଦିଗରେ ଏକ ବୃହତ ପଦକ୍ଷେପ ହେବ । କେବଳ ଏତିକି ନୁହେଁ କେନ୍ଦ୍ରାପଡ଼ାରେ ଏକ ହୋମିଓପାଥି ୟୁନିଭରସିଟି ତିଆରି କରିବା ପାଇଁ ମଧ୍ୟ ଦାବି ଜଣାଇଛନ୍ତି ଅନୁଭବ ମହାନ୍ତି  ।

କେନ୍ଦ୍ରାପଡ଼ା ଲୋକଙ୍କୁ ସୁସ୍ଥ ରଖିବା ଏବଂ ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ଲକ୍ଷ୍ୟରେ ସାଂସଦଙ୍କ ଭାରତୀୟ ଚିକିତ୍ସା ପରିଷଦ ବିଧେୟକ ୨୦୧୯ ଅନୁସାରେ ଜିଲ୍ଲାରେ ଏକ ସୁପରସ୍ପେସାଲିଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ନେଇ ସଂସଦରେ ପୂର୍ବରୁ ଦାବି ଉପସ୍ଥାପନ କରିଥିଲେ ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ା ଲୋକଙ୍କ ହିତପାଇଁ ପୁଣି ଆଉଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବି କଥା ମନେପକାଇ ଦେଇଛନ୍ତି । ଜିଲ୍ଲାରେ ସୁପରସ୍ପେସାଲିଟି ମେଡ଼ିକାଲ ନିର୍ମାଣ ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ବ୍ୟାପକ କରାଯାଇପାରିବା ସହ ଜନସାଧାରଣ ବହୁଳ ଭାବେ ଉପକୃତ ହୋଇପାରିବେ । ଜିଲ୍ଲାରେ ହିଁ ଗୁରୁତର ରୋଗୀମାନେ ତୁରନ୍ତ ଚିକିତ୍ସା ସେବା ପାଇ ପାରିବେ । ଲୋକଙ୍କୁ ଆଉ ବାହାର ସହର କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ତେବେ ଏଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଆଣିବା ଦିଗରେ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ଏହାସହ କେନ୍ଦ୍ରାପଡ଼ାରେ ଏକ ହୋମିଓପାଥି ୟୁନିଭରସିଟି ନିର୍ମାଣ ପାଇଁ ମଧ୍ୟ ଦାବି ଜଣାଇଛନ୍ତି ଅନୁଭବ ମହାନ୍ତି । ସୁଲଭ ମୂଲ୍ୟ ଲୋକମାନଙ୍କୁ ଔଷଧ ଉପଲବ୍ଧ ହୋଇପାରିବ । ଗରୀବ ଶ୍ରେଣୀର ଲୋକମାନେ ଅଧିକ ଉପକୃତ ହୋଇପାରିବେ ।