ଆସନ୍ତାକାଲି ବିରଳ ମହାଜାଗତିକ ଦୃଶ୍ୟ । ଦିନ ୧୦ଟା ୨୦ ରୁ ଅପରାହ୍ନ ୨ ଟା ୨୦ ଯାଏଁ ବଳୟ ସୂର୍ଯ୍ୟପରାଗ, ଆଜି ରାତି ୧୦ଟା ୩୮ରୁ ପାକ ତ୍ୟାଗ । ବନ୍ଦ ରହିବ ରୋଷେଇ ଓ ଦେବନୀତି । ବିଜ୍ଞାନୀଙ୍କ ବିରୋଧ ।

4,269

କନକ ବ୍ୟୁରୋ : ଆସନ୍ତାକାଲି ମହାକାଶରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ । ଓଡିଶା ଆକାଶରେ ଦେଖାଯିବ ବଳୟ ସୂୂର୍ଯ୍ୟପରାଗ । ପୂର୍ଣ୍ଣ ପରାଗ ଉତର ଭାରତର ଅଳ୍ପ କିଛି ଅଂଚଳ ଦେଇ ଯିବ । ହେଲେ ଓଡିଶାରେ ଚନ୍ଦ୍ର, ସୂର୍ଯ୍ୟର ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଯାଏଁ ଘୋଡାଇ ରଖିବ । ଓଡିଶା ସମେତ ଦେଶର ପ୍ରାୟ ସବୁ ଭାଗରେ ଏହା ପୂର୍ବହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ସାଢେ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ । ବିଭିନ୍ନ ସ୍ଥାନରେ ପରାଗର ପରିଣାମରେ ଭିନ୍ନତା ରହିବ । ପରାଗ ସମୟରେ ଖାଲି ଆଖିରେ କିମ୍ବା ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ସୂର୍ଯୋପରାଗ ବିଲକୁଲ ନଦେଖିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

ତେବେ ଜ୍ୟୋତିର୍ବିଦ ମାନଙ୍କ ସୂଚନା ଅନୁସାରେ ସୂର୍ଯ୍ୟୋପରାଗ ସମୟରେ ରୋଷେଇ ଓ ଦେବନୀତିକୁ ନିଷେଧ କରାଯାଇଛି । ତେଣୁ ଆଜି ରାତି ୧୦ଟା ୩୮ ମିନିଟରୁ ଆସନ୍ତାକାଲି ଅପରାହ୍ନ ୨ଟା ୩୦ ଯାଏଁ ପାକ ନିଷେଧ କରାଯାଇଛି । ଏହି ସମୟରେ କୌଣସି ପୂଜାକାର୍ଯ୍ୟ ହେବ ନାହିଁ । ଦେବାଦେବୀ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିବ । ଓଡିଶାରେ ସୂର୍ଯ୍ୟୋପରାଗ ୪ ପ୍ରହର ଅର୍ଥାତ ୧୨ ଘଂଟା ରହିବ । ଆସନ୍ତାକାଲି ଭୁବନେଶ୍ୱରରେ ଦିନ ୧୦ଟା ୩୮ ମିନିଟ ୧୭ ସେକେଣ୍ଡରୁ ଅପରାହ୍ନ ୨ଟା ୯ ମିନିଟ ଯାଏଁ ରହିବ ସୂର୍ଯ୍ୟୋପରାଗର ପ୍ରଭାବ । ଦିନ ୧୨ଟା ୨୬ ମିନିଟ ୯ ସେକେଣ୍ଡରେ ସର୍ବାଧିକ ସଂଘଟିତ ହେବ । ହେଲେ ବୈଜ୍ଞାନିକ ମତ ଅନୁସାରେ ଏଭଳି ପାକତ୍ୟାଗକୁ ବିରୋଧ କରାଯାଇଛି । ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟ ବର୍ଜନ କରିବାର କୌଣସି ଯୁକ୍ତି ନାହିଁ ବୋଲି ମତ ଦିଆଯାଇଛି ।