ଲକଡାଉନ୍ ପାଇଁ ସବୁଆଡ ଏବେ ଖାଁ ଖାଁ : ଜନମାନବ ଶୂନ୍ୟ ରାସ୍ତାରେ ବୁଲୁଛନ୍ତି ବନ୍ୟଜନ୍ତୁ

6,007

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦ ଜାରି ରହିଥିବାବେଳେ ଘରୁ ବାହାରୁ ନାହାନ୍ତି ଲୋକେ । ଆଉ ଏପଟେ ରାସ୍ତାକୁ ବାହାରି ଆସିଛନ୍ତି ଜଙ୍ଗଲି ଜନ୍ତୁ । ବିଶ୍ୱାସ ହେଉନଥିଲେ ବି ସତ । ଦିନବେଳା ଏଭଳି ଜଙ୍ଗଲି ଜନ୍ତୁ ରାସ୍ତାକୁ ଚାଲିଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଲାବନ୍ଦ ସମୟରେ ଲୋକେ ଘର ଭିତରେ ରହିଛନ୍ତି, ଆଉ ରାଜରାସ୍ତାରେ ବୁଲୁଛନ୍ତି ଜଙ୍ଗଲି ଜନ୍ତୁ । କେରଳର ରାଜରାସ୍ତାରେ ଏକ ଶାଳିଆ ପତନି ବୁଲୁଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ବଡକଥା ହେଉଛି ଓଡିଶାର ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଂଟରେ ଏହି ଭିଡିଓକୁ ଟ୍ୱିଟ କରିବା ସହ ଲେଖିଛନ୍ତି ଯେ, କେରଳର କୋଜିକୋଡେରେ ୧୯୯୦ ପରଠାରୁ ଏଭଳି ଶାଳିଆ ପତନୀ ଆଇ ଦେଖିବାକୁ ମିଳୁନଥିଲା । ବିଲୁପ୍ତ ପ୍ରଜାତିରେ ଆସୁଥିବା ଶାଳିଆ ପତନୀ ଦେଶରେ ତାଲାବନ୍ଦ ସହୟରେ ସହର ରାସ୍ତାରେ ବୁଲିବା ନୂଆ ପ୍ରକାର ଅନୁଭୂତି ଆଣିଛି । ସେପଟେ ଉତର ପ୍ରଦେଶର ନୋଏଡାରେ ଏକ ନୀଳ ଗାଈ ମଧ୍ୟ ସହର ଭିତରେ ଦେଖିବାକୁ ମିଳିଛି । ଏକ ସପିଂ ମଲ ସାମ୍ନାରେ ବୁଲୁଥିବା ଏହି ନୀଳ ଗାଈର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।