ଅନୁଗୁଳର ନାକଚି ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ! ଦୁଇ ଦିନ ପରେ ବି ମିଳୁନି ପୀଡ଼ିତାଙ୍କ ପତା

40

କନକ ବ୍ୟୁରୋ : ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଏଭଳି ଏକ ଲୋକହର୍ଷଣକାରୀ ଖବର ସାମ୍ନାକୁ ଆସିଛି । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକଚି ନିକଟରେ । ସମ୍ବଲପୁରରୁ କଟକ ଯାଉଥିବା ବେଳେ ନାକଚି ନିକଟରେ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଘଟଣାର ଦୁଇ ଦିନ ପରେ ବି ପୀଡ଼ିତା ମହିଳାଙ୍କ ପତା ମିଳୁନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ପୁଲିସ୍ ମହିଳାଙ୍କୁ ଖୋଜାଖୋଜି କରୁଥିବା ବେଳେ ମହିଳାଙ୍କ ପରିବାର ପକ୍ଷରୁ ସମ୍ବଲପୁର ଟାଉନଥାନାରେ ଏନେଇ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ ଗୁରୁବାର ଦିନ ରାତି ପ୍ରାୟ ୧୦ଟା ବେଳେ ସମ୍ବଲପୁରର ଦମ୍ପତି ସାଥିରେ ୬ ବର୍ଷର ଝିଅକୁ ନେଇ କାରରେ କଟକ ଯାଉଥିଲେ । ରାସ୍ତାରେ ପରିଶ୍ରା ପାଇଁ ମହିଳା ଜଣକ ଗାଡ଼ିରୁ ଓହ୍ଲାଇଥିଲେ । ତେବେ ମହିଳା ଜଣକ ପାଣି ନେଇନଥିବାରୁ ପରିଶ୍ରା କରିବା ପରେ ଗାଡ଼ିକୁ ପାଣି ନେବା ପାଇଁ ଆସିଥିଲେ । ଆଉ ଏହି ସମୟରେ ଗାଡ଼ି ଡୋର୍ ଶବ୍ଦ ଶୁଣି ମହିଳା ଜଣକ ଗାଡ଼ିରେ ବସିଯାଇଛନ୍ତି ଭାବି ତାଙ୍କ ସ୍ୱାମୀ କାର ଛାଡ଼ି ଦେଇଥିଲେ । ଆଉ ଏହି ମହିଳା ଜଣକ ନାକଚି ଠାରେ ରହିଯାଇଥିଲେ । ତେବେ ଏହି କାହାଣୀରେ କେତେ ସତ୍ୟାସତ୍ୟ ରହିଛି ସେନେଇ ପୁଲିସ ଛାନିବିନ କରୁଛି । ହେଲେ ଏଯାଏଁ ମହିଳାଙ୍କ ପତା ମିଳିପାରୁନାହିଁ ।