ପାଣି ଏପଟେ ଘର ସେପଟେ ସ୍କୁଲ : ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା

265

କନକ ବ୍ୟୁରୋ : ପାଣି ପାରିହେଲେ ପାଠପଢା । କାରଣ ପାଣି ଏପଟେ ଘର ସେପଟେ ସ୍କୁଲ । ତେଣୁ ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନି କୁନି ପିଲା । ନାଳ ଉପରେ ପୋଲ ନଥିବାରୁ ନାନା ଅସୁବିଧା ଭୋଗ କରୁଛନ୍ତି ଅନୁଗୁଳ ଇଙ୍କରବନ୍ଧ ବେହେରା ସାହିର କୁନି କୁନି ଛାତ୍ରଛାତ୍ରୀ ।

ଅନୁଗୁଳ ଜିଲ୍ଲା ସଦରମହୁକମା ଠାରୁ ମାତ୍ର ୧୨ କିଲୋମିଟର ଦୂର ଇଙ୍କରବନ୍ଧ ବେହେରା ସାହି । ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କୁ ପାଣି ପାର କରାଉଛନ୍ତି ଅଭିଭାବକ । ଦିନେ ଦୁଇ ଦିନର ନୁହେଁ,  ପ୍ରତିବର୍ଷ ବର୍ଷା ୪ ମାସ ଏମିତି ପାଣିରେ ପଶି ଅନୁଗୁଳର ଇଙ୍କରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି ଇଙ୍କରବନ୍ଧ ବେହେରା ସାହିର ୧୫ ଜଣ ଛାତ୍ରଛାତ୍ରୀ । ସ୍କୁଲ ଠାରୁ ୨ କିଲୋମିଟର ଦୂରରେ ରହିଛି ବେହେରା ସାହି । ସ୍କୁଲ ଆଉ ସାହି ଭିତରେ ପ୍ରତିବନ୍ଧକ ସାଜିଛି ଟାକୁଆ ନାଳ । ତେଣୁ ପ୍ରତିଦିନ ବିପଦକୁ ସାମ୍ନା କରି ଭବିଷ୍ୟତ ଗଢିବା ଆଶାରେ ସ୍କୁଲକୁ ଯାଇଥାନ୍ତି ଛାତ୍ରଛାତ୍ରୀ ।

ଘଂଟାରେ ୯ଟା ବାଜିଲେ ବହିବସ୍ତାନୀ ଧରି ସ୍କୁଲ ବାହାରନ୍ତି ଛାତ୍ରଛାତ୍ରୀ । ଆଉ ପିଲାଙ୍କୁ ସ୍କୁଲ ଛାଡିବା ଏବଂ ଫେରିବା ସମୟରେ ଆଣିବା ପାଇଁ ଟାକୁଆ ନାଳ ପାଖରେ ଅପେକ୍ଷା କରିଥାନ୍ତି ଅଭିଭାବକ । ଏଭଳି ବିପଦ ସଂକୁଳ ଅବସ୍ଥାରେ ସ୍କୁଲ ଯାତ୍ରା ସଂପର୍କୀତ ପ୍ରଶ୍ନର ଉତରରେ ଛାତ୍ର କୁହନ୍ତି, ସେ ଭଲ ପାଠ ପଢିବେ, ଏବଂ ଚାକିରି କରି ନିଜ ଗାଁରେ ପୋଲ ତିଆରି କରିବେ । 

ଇଙ୍କରବନ୍ଧ ସ୍କୁଲର ପ୍ରଧାନ ଶିକ୍ଷକ ଏନେଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେପଟେ ଅନୁଗୁଳ ଉପଜିଲ୍ଲାପାଳ କହିଛନ୍ତି ନାଳ ଉପର ଦେଇ ଯାଉଥିବା ରାସ୍ତାଟି ବେସରକାରୀ ହୋଇଥିବାରୁ ପୋଲ ନିର୍ମାଣରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।