ଖଣି ଅଞ୍ଚଳରୁ ସାମ୍ନାକୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର, ସବୁ ଦେଖି ଆଖି ବୁଜି ଦେଇଛନ୍ତି ପ୍ରଶାସନ ଓ ଖଣି ଅଧିକାରୀ

169

କନକ ବ୍ୟୁରୋ : ମାସେ କି ବର୍ଷେ ନୁହେଁ ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ହେଲେ ଏଥିପ୍ରତି କାହାର କାହାର ନଜର ନାହିଁ । ସବୁଠାରୁ ବିଡମ୍ବନାର ବିଷୟ ଏମିତି ଖବର ଆସିଛି କେନ୍ଦୁଝର ଶୁଆକାଟୀ ସ୍ଥିତ ଗନ୍ଧମାର୍ଦ୍ଦନ ଓଏମସି ଖଣି ସଂଲଗ୍ନ ଅଂଚଳରୁ । ଖଣି ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ଗ୍ରାମ ତାଲିକାରେ ରହିଛି ଏହି ଅଂଚଳ । ହେଲେ ଏଠି ବିକାଶ ଅପହଂଚ । ଖଣି ପ୍ରଭାବିତ ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅର୍ଥର ଅଭାବ ନଥିବା ବେଳେ ପ୍ରଶାସନିକ ଉଦାସୀନତା ବେଶ ବାରି ହୋଇପଡୁଛି ।

କୁନି କୁନି ପିଲା ରାସ୍ତା ଉପରେ ବସି ପାଠ ପଢୁଛନ୍ତି, ସେହି ରାସ୍ତା କଡରେ ବସି ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ବି ଖାଉଛନ୍ତି । ୧୯୮୧ ମସିହାରୁ ଏମିତି ଚାଲିଛି କେନ୍ଦୁଝର ବାଂଶପାଳ ବ୍ଲକ ଶୁଆକାଟୀ ଗନ୍ଧମାର୍ଦ୍ଦନ ଖଣି ସଂଲଗ୍ନ ଉରୁମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର । ନିଜସ୍ୱ ଘରଟିଏ ନଥିବାରୁ କେନ୍ଦ୍ର ଖୋଲିବା ଦିନରୁ ପିଲାମାନେ ରାସ୍ତା ଉପରେ ବସି ପାଠ ପଢୁଥିବା ବେଳେ କେନ୍ଦ୍ରର ପାଚିକା ନିଜ ଘରେ ରୋଷେଇ କରି ଆଣନ୍ତି ମଧ୍ୟାହ୍ନ ଭୋଜନ । ଆଉ ରାସ୍ତା ଉପରେ ବସି ଖାଆନ୍ତି ଛାତ୍ରଛାତ୍ରୀ । ଉରୁମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ପାଇଁ ଘର ଟିଏ କରି ଦେବାକୁ ଜିଲ୍ଲାପାଳ ଓ ଓଏମସି ଖଣି ଅଧିକାରୀଙ୍କୁ ଅନୁରୋଧ କରାଯାଇଛି, ହେଲେ କେହି ଶୁଣୁନଥିବା କହିଛନ୍ତି ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ବାସିନ୍ଦା ।

ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ବହୁ ପୁର୍ବରୁ ସିଏସଆର ଅର୍ଥ ସହ ଏବେ ଡିଏମ୍ଏଫ ପାଣ୍ଠି ରହିଛି । ଆଉ ଏହି ପାଣ୍ଠିରେ ହଜାର ହଜାର ଟଙ୍କା ବି ରହିଛି । କିନ୍ତୁ ଖଣି ସଂଲଗ୍ନ ଗାଁ ବିକଳ ଚିତ୍ର ଦେଖିଲେ ଯେକେହି ବି ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବ । ସେପଟେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି ଯେ, ୪୦ବର୍ଷର ଏହି ସମସ୍ୟା ବାବଦରେ ସରକାର ଅଭଗତ ଅଛନ୍ତି । ଯଥାଶୀଘ୍ର ପଦକ୍ଷେପ ନେଇ ନିଜସ୍ୱ ଘର ନିର୍ମାଣ କରାଯିବ ବୋଲ କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ।

ପୁରା ଘଟଣାକୁ ଦେଖିଲେ, ଏହା ସ୍ପଷ୍ଟ ଯେ, ଏଠାରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ରାସ୍ତା ଉପରେ ଖୋଲା ମେଲାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।