ବନ୍ଦ ସତ୍ତେ୍ୱ ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ଖାଦ୍ୟ : ଘରକୁ ଯାଇ ୩ରୁ ୬ ବର୍ଷ ବୟସର ଶିଶୁ ମାନଙ୍କ ପାଇଁ ଶୁଖିଲା ରାସନ ଯୋଗାଇଦେବେ ଅଙ୍ଗନୱାଡି କର୍ମୀ ଓ ସହାୟିକା

576

କନକ ବ୍ୟୁରୋ : ବନ୍ଦ ଥିବା ସତ୍ତେ୍ୱ ଅଙ୍ଗନୱାଡ଼ି ଶିଶୁଙ୍କୁ ମିଳିବ ଖାଦ୍ୟ । ସକାଳ ଜଳଖିଆ ଓ ଗରମ ଖାଦ୍ୟ ଯୋଗାଇବାକୁ ବ୍ୟବସ୍ଥା କରାଯିବ । ଘରକୁ ଘର ବୁଲି ବୁଲି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଶୁଖିଲା ରାସନ୍ ସିଧାସଳଖ ଯୋଗାଇଦେବେ ।

ସେହିପରି ପ୍ରତି ଗ୍ରାମରେ ଏଏନଏମ/ଆଶା ଦିଦିଙ୍କ ଠାରେ ଉପଲବ୍ଧ ହେବ ଅତ୍ୟାବଶ୍ୟକ ଔଷଧ । ସେମାନଙ୍କ ଜରିଆରେ ପାରାସିଟାମଲ ଏବଂ ଓଆରଏସ ଉପଲବ୍ଧ କରାଇବେ ସରକାର । ଏହା ବ୍ୟତୀତ ଅତ୍ୟାବଶ୍ୟତକ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନିରାମୟ କାଉଣଣ୍ଟରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିରର ଆୟୋଜନ କରାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ଜଳ ବିଭାଗ ୫ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରିସାରିଛି ।

ଆସନ୍ତା ଏପ୍ରିଲ ୧ ଠାରୁ ୧୫ ମଇ ପର୍ଯ୍ୟନ୍ତ ( ୪୫ ଦିନ ମଧ୍ୟରେ ) ତିନି ମାସର ଚାଉଳ, ଗହମ ଓ କିରୋସିନି ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାସନ ଦୋକାନ ଗୁଡ଼ିକ ଗହଳି ମୁକ୍ତ କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଛି ।

କରୋନା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ଅନେକ ଆଗୁଆ ପଦକ୍ଷେପ ନେଇସାରିଛନ୍ତି । ହିତାଧିକାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା ଯୋଜନା ମାସିକ ଭତ୍ତା ଆଗାମୀ ଚାରିମାସ ପାଇଁ ଏକକାଳୀନ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।