ଓଡିଶା ବଜାରରେ ଆନ୍ଧ୍ର ଓ ଛତିଶଗଡର ଚାଉଳ ! ସମ୍ବଲପୁରରେ ମିଳୁନି ଘରୋଇ ଚାଉଳ, ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ହତାଶ

80

କନକ ବ୍ୟୁରୋ : ସମ୍ବଲପୁର ବଜାରରେ ପସରା ମେଲିଛି ପଡୋଶୀ ଛତିଶଗଡ ଓ ଆନ୍ଧ୍ର ଚାଉଳ । ସ୍ଥାନୀୟ ଚାଉଳର ଚାହିଦା ରହିଛି, ହେଲେ ଆବଶ୍ୟକ ପରିମାଣର ମିଳୁନଥିବାରୁ ପଡୋଶୀ ରାଜ୍ୟର ଚାଉଳ ଉପରେ ନିର୍ଭର କରିବାକୁ ପଡୁଛି । ଧାନରୁ ଚାଉଳ କରିବା ପାଇଁ ବ୍ୟବସ୍ଥା ନାହିଁ କି ବଜାର ବି ନାହିଁ । ଫଳରେ ସମ୍ବଲପୁରର ଚାଷୀ ଧାନ ଅମଳ କରି ସରକାରୀ ମଣ୍ଡିରେ ବିକ୍ରି କରିବା ପରେ ବଳକା ଧାନକୁ ଦଲାଲକୁ ବିକ୍ରି କରୁଛନ୍ତି । ଯାହାର ପ୍ରଭାବ ବଜାର ଉପରେ ପଡିଛି ।

ଛତିଶଗଡରୁ ଆସୁଥିବା ଚାଉଳର ସର୍ବନିମ୍ନ ମୂଲ୍ୟ ୩୦ ଟଙ୍କା ରହିଥିବା ବେଳେ ଓଡିଶା ଚାଉଳର ମୂଲ୍ୟ କିଲୋ ପ୍ରତି ସର୍ବଧିକ ୨୫ ଟଙ୍କା ରହିଛି । ହେଲେ ଆବଶ୍ୟକ ପରିମାଣର ଘରୋଇ ଚାଉଳ ମିଳୁନଥିବାରୁ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଚାଉଳ କିଣୁଥିବା କହିଛନ୍ତି । ତେବେ ସମ୍ବଲପୁରରେ ଚାଉଳ ବଜାର ଖୋଲିବା ପାଇଁ କୁହାଯାଇଥିବା ବେଳେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଚାଷୀଙ୍କ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ସମ୍ବଲପୁର ବଜାରରୁ ପଡୋଶୀ ରାଜ୍ୟର ଚାଉଳ ଆସୁଥିବା ବେଳେ ଘରୋଇ ଚାଉଳ ଅଭାବ କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ରାଜ୍ୟ ସରକାର ଏହି ଘଟଣା ଉପରେ ନଜର ଦେବା ସହ ଚାଉଳ ବିକ୍ରି ପାଇଁ ବଜାର ବ୍ୟବସ୍ଥା କଲେ ରାଜ୍ୟର ଚାଷୀ ବେଶ ଉପକୃତ ହୋଇପାରନ୍ତେ ।