ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫାନ । ପାରାଦୀପ ଠାରୁ ୭୮୦ କିମିରେ ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ହେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ।

812

କନକ ବ୍ୟୁରୋ : ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଆଜି ମଧ୍ୟାହ୍ନ ସାଢେ ୧୨ଟାରେ ସାମୁଦ୍ରିକ ଝଡ ଅମ୍ଫାନ ମହାବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟା ମହାବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ ଆଗେଇବ । ପାରାଦୀପ ଠାରୁ ବର୍ତମାନ ୭୮୦ କିମି ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

ସମୁଦ୍ର ଭିତରେ ଏହା ଘଂଟାକୁ ୧୩ କିଲୋମିଟର ବେଗରେ ଉତ୍ତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି । ପାରାଦୀପ ଠାରୁ ଏବେ ଦକ୍ଷିଣରେ ୭୮୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ବାଂଲାଦେଶର ଖେପୁପରା ଠାରୁ ୧ ହଜାର ୫୦ କିମି ଦୂରରେ ରହିଛି । ବର୍ତମାନ ଅମ୍ଫାନର ଆଖି ଧୀରେ ଧୀରେ ସ୍ପଷ୍ଟ ହେଲାଣି । ତାହାର ଆଖି ଏବେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ରହିଛି । ଆସନ୍ତା ୬ ଘଂଟାରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବ ଅମ୍ଫାନ । ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତର-ଉତର ପୂର୍ବକୁ ଦିଗ ବଦଳାଇ ଉତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ ।

୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ମଧ୍ୟ ଶକ୍ତିଶାଳୀ ରହିଥିବ । ଯାହା କି ଚିନ୍ତାର କାରଣ ହୋଇଛି । କାରଣ ସ୍ଥଳ ଭାଗ ଛୁଇଁଲା ବେଳକୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ କିମି ରହିବ । ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।