କୋଲକାତା ରୋଡ ସୋ’ରେ ହିଂସାକାଣ୍ଡ ଘଟଣାକୁ ନେଇ ତେଜିଲା ରାଜନୀତି : କୋଲକାତାରେ ଟିଏମସି ଓ ବାମପନ୍ଥୀ ଦଳ, ଦିଲ୍ଲୀରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

140

କନକ ବ୍ୟୁରୋ : ପଶ୍ଚିମବଙ୍ଗ ହାୱଡାରେ ବିକ୍ଷୋଭ ପ୍ରଦର୍ଶନ କରିଛି ତୃଣମୂଳ କଂଗ୍ରେସ । ଗତକାଲିର ହିଂସା ଘଟଣାକୁ ନେଇ ଟିଏମସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହ ଶହ ଟିଏମସି ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ବିଜେପି ପକ୍ଷରୁ ଆଜି ଦିଲ୍ଲୀରେ ମୌନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅମିତ ଶାହାଙ୍କ ରୋଡ ଶୋରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ କୋଲକାତା ବିଜେପି ପକ୍ଷରୁ ଏହି ମୌନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ କାର୍ଯ୍ୟକର୍ତ୍ତା ମୁଣ୍ଡରେ କଳାପଟି ବାନ୍ଧି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସେଭ୍ ବଙ୍ଗାଲ, ସେଭ ଡେମୋକ୍ରାସି ପ୍ଲାକାର୍ଡ ଧରି ବିଜେପି କାର୍ଯ୍ୟକର୍ତ୍ତା ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ସେପଟେ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ହିଂସା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସଡିଆଇ, ଏଆଇଏସଏଫ, ଏଆଇଏସଏ ଓ ଅନ୍ୟ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଆଜି କାଳଦିବସ ପାଳନ କରାଯାଉଛି । ସିପିଆଇଏମର ବରିଷ୍ଠ ନେତା ସୀତାରାମ ୟେଚୁରୀ ଓ ପ୍ରକାଶ କରାଟ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । କୋଲକାତା ବିଶ୍ୱବିଦ୍ୟାଳୟ ପରିସରରେ ଏହି ବିକ୍ଷୋଭ ସଭା ଆୟୋଜନ କରାଯାଇଥିଲା । ଗତକାଲି କୋଲକତା ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ବିଦ୍ୟାସାଗର ରାଓଙ୍କ ପ୍ରତିମୂର୍ତିକୁ ଭଙ୍ଗାରୁଜା କରାଯିବା ଘଟଣାକୁ ନେଇ ବାମପନ୍ଥୀ ଦଳଗୁଡିକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ କମିଶନକୁ ଚିଠା ଲେଖାଯାଇଛି । ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ସାତ ଶହ ସିଆରପିଏଫ କମ୍ପାନୀ ମୂତୟନ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଅପିଲ କରାଯାଇଛି । ଯବାନଗତକାଲି କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିବା ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତା ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅମିତ ଶାହା ରୋଡ ସୋରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ନିକଟରେ ଥିବା ଏକ ହଷ୍ଟେଲରୁ ଛାତ୍ରମାନେ ବାହାରିଆସି ଟେକା ମାଡ କରିଥିଲେ । ଏହି ସମୟରେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ମଧ୍ୟ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।