ପ୍ରଥମ ଥର ପାଇଁ ପୁଅ ସପକ୍ଷରେ ମୁହଁ ଖୋଲିଲେ ବାପା ! ଅମିତ ଶାହାଙ୍କ ପ୍ରତିକ୍ରିୟା, ଜୟଙ୍କ କଂପାନୀରେ ଦୁର୍ନୀତି ନେଇ ତଥ୍ୟ ଥିଲେ କୋର୍ଟରେ ଦେବାକୁ ବିରୋଧୀଙ୍କୁ ଚ୍ୟାଲେଂଜ

37

କନକ ବ୍ୟୁରୋ : ପୁଅ ଜୟ ଶାହଙ୍କ କମ୍ପାନିକୁ ନେଇ ଉଠିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଜାତୀୟ ଗଣମାଧ୍ୟମ ଆଜତକକୁ ସାକ୍ଷାତକାର ଦେଇ ଅମିତ ଶାହ କହିଛନ୍ତି ଯେ, ଜୟଙ୍କ କମ୍ପାନି ସହ ସରକାର କୌଣସି କାରବାର କରୁନଥିଲେ । ଏପରିକି ସରକାରଙ୍କଠାରୁ ଜୟଙ୍କ କମ୍ପାନି ଟଙ୍କାଟିଏର ଅନୁକମ୍ପା ପାଇନାହିଁ ବୋଲି ସେ ସଫେଇ ଦେଇଛନ୍ତି । ସେହିପରି ଜୟଙ୍କ କମ୍ପାନିର ଟର୍ଣ୍ଣଓଭର ୧୬ ହଜାର ଗୁଣା ହେବା ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

କମୋଡିଟି ଏକ୍ସଚେଞ୍ଜ ବିଜନେସ କରୁଥିବା କମ୍ପାନିର ଟର୍ଣ୍ଣଓଭର ଅସ୍ୱଭାବିକ ଭାବେ ବଢିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ । କମ୍ପାନିର ଟର୍ଣ୍ଣଓଭର ଅଧିକ ହେବା ଅର୍ଥ ଏହାର ଲାଭାଂଶ ବଢିବା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜୟ ଶାହଙ୍କ କମ୍ପାନି ଚାଉଳ ଓ ମକା ରପ୍ତାନି ଏବଂ ଧନିଆ ଆମଦାନୀ କରୁଥିଲା । ୮୦ କୋଟିର କାରବାର ସତ୍ୱେ କମ୍ପାନି ଦେଢକୋଟି କ୍ଷତି ସହିଥିଲା । ସେହିପରି ମୋଟା ଅଙ୍କର ବ୍ୟାଙ୍କ ଲୋନ ଓ ଲେଟର ଅଫ କ୍ରେଡିଟ ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି ଯେ, ବ୍ୟାଙ୍କର ସମସ୍ତ ଟଙ୍କା ସୁଧ ସହିତ କମ୍ପାନି ଫେରସ୍ତ କରିଛି ।

ବିବାଦୀୟ ଖବର ପରେ ଜୟ ଶାହ ମାନହାନୀ ମକଦ୍ଦମା କରିଛନ୍ତି । କିନ୍ତୁ କଂଗ୍ରେସ ବିରୋଧରେ ବିରମ୍ବାର ଦୁର୍ନୀତି ଅଭିଯୋଗ ସତ୍ୱେ ଦଳ ପକ୍ଷରୁ କୌଣସି ମାନହାନୀ ମକଦ୍ଦମା କାହିଁକି କରାଯାଇ ନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ବିରୋଧୀ ତଦନ୍ତ ଦାବି କରୁଥିବାବେଳେ ଜୟ ଶାହ ମଧ୍ୟ ନିଜଆଡୁ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି । ତେଣୁ ବିରୋଧୀଙ୍କ ପାଖରେ ଦୁର୍ନୀତି ନେଇ କୌଣସି ତଥ୍ୟ ଥିଲେ କୋର୍ଟଙ୍କୁ ଦିଅନ୍ତୁ ବୋଲି ସେ ସିଧାସଳଖ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି ।