ମମତାଙ୍କୁ ସମାଲୋଚନା କରି ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା : କହିଲେ, ପଶ୍ଚିମବଙ୍ଗ ଭଳି ବିଜେଡ଼ିଙ୍କ ଶାସନରେ ହେଉନି ହିଂସାକାଣ୍ଡ, ସେପଟେ ନବୀନଙ୍କୁ ଅଣ-ଏନଡିଏ ବୈଠକକୁ ଡାକିଲେ ସୋନିଆ

132

କନକ ବ୍ୟୁରୋ : ଭୋଟ୍ ଗଣତିର ଦିନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ମଧ୍ୟରେ ଥିବା ସମୀକରଣରେ ସେତିକି ପରିବର୍ତ୍ତନ ଆସିବାରେ ଲାଗିଛି । ନିର୍ବାଚନ ପ୍ରଚାର ବେଳେ ବିଜେଡି ସରକାରକୁ କଡା ସମାଲୋଚନା କରୁଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱର ଟିକେ ନରମି ଯାଇଛି । ଗତକାଲି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ଶାହା କହିଛନ୍ତି, ନବୀନଙ୍କ ଶାସନରେ ଏଭଳି କେବେ ଘଟେ ନାହିଁ । ଶାହାଙ୍କ ଏହି ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କୁ ପ୍ରଶଂସା କରି କହିଥିଲେ, ବାତ୍ୟାର ଭଲଭାବେ ମୁକାବିଲା କରିଛି ବିଜେଡି ସରକାର । ଏହାପରେ ନବୀନ ମଧ୍ୟ ବାତ୍ୟା ସମୟରେ କେନ୍ଦ୍ରର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ।

ପଶ୍ଚିମବଙ୍ଗରେ ବିଜେପିର ବିଶାଳ ରୋଡ୍ ସୋ ବେଳେ ସୃଷ୍ଟି ହୋଇଥିବା ପୋଡ଼ାଜଳା ଏବଂ ହିଂସାକାଣ୍ଡ ସଂପର୍କରେ କହିବାକୁ ଯାଇ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏଭଳି ଏକ ବୟାନ ଦେଇଛନ୍ତି, ଯାହା ନବୀନଙ୍କ ଭାବମୂର୍ତ୍ତିକୁ ଆହୁରି ମଜବୁତ କରିଛି । ଶାହା କହିଛନ୍ତି,
ଦେଶରେ ଅନେକ ଦଳର ଶାସନ ଚାଲିଛି । ଓଡ଼ିଶାରେ ନବୀନ ବାବୁଙ୍କ ଶାସନ ଚାଲିଛି, ହେଲେ କାହିଁ କୌଣସି ସ୍ଥାନରେ ତ’ ଏଭଳି ହିଂସାକାଣ୍ଡ ଦେଖାଯାଉନି ।


କ୍ଷମତାର ଗାଦିରେ ବସିବା ପାଇଁ ପଶ୍ଚିମବଙ୍ଗରେ ବିଜେପି-ଟିଏମସି ସାମ୍ନା-ସାମ୍ନି ହେଉଥିବା ବେଳେ ଏପଟେ କଂଗ୍ରେସ ସାଥୀ ଖୋଜିବା ପାଇଁ ଆରମ୍ଭ କରିଦେଇଛି ପ୍ରକ୍ରିୟା । ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ମେ’ ୩ ତାରିଖ, ଅର୍ଥାତ୍ ଠିକ୍ ଫଳାଫଳ ଆସିବା ଦିନ ୟୁପିଏ ସହଯୋଗୀ ଦଳଙ୍କ ସହ କିଛି ଅଣ-ଏନଡିଏ ଦଳକୁ ନେଇ ବୈଠକ ଡାକିଛନ୍ତି ସୋନିଆ ଗାନ୍ଧୀ । ସୂଚନା ଅନୁସାରେ ବିଜୁ ଜନତା ଦଳ, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି ।

କ୍ଷମତାର ଯୁଦ୍ଧରେ କେଉଁଠି ନିର୍ବାଚନୀ ହିଂସା ଘଟୁଛି, ତ ଆଉ କେଉଁଠି ସାଥୀ ଖୋଜା ଚାଲିଛି । ଆଉ ଏହି ତମାମ୍ ସମୀକରଣ ରୂପରେଖ କ’ଣ ହେବ ତାହା ଆଗାମୀ ୨୩ ତାରିଖରେ ସ୍ପଷ୍ଟ ହୋଇଯିବ ଯେତେବେଳେ ୨୦୧୯ ନିର୍ବାଚନର ରେଜଲ୍ଟ ସାମ୍ନାକୁ ଆସିବ ।