ପଦ୍ମଦଳରେ ପରିବର୍ତ୍ତନର ଝଲକ ! ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହାଙ୍କ ଗସ୍ତ ପୂର୍ବରୁ ବଦଳିଲେ ସଂଗଠନ ସଂପାଦକ, ପ୍ରଭାରୀ ଓ ରାଜ୍ୟ ସଭାପତିଙ୍କ ଉପରେ ନଜର

41

କନକ ବ୍ୟୁରୋ : ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମ ଦିନରେ ଭାବାନୀପାଟଣା ଏବଂ ଦ୍ୱିତୀୟ ଦିନ ବଲାଙ୍ଗୀରରେ ଦଳୀୟ ସଂଗଠନ ନେଇ ଆଲୋଚନା କରିବେ ରାଷ୍ଟୀୟ ଅଧ୍ୟକ୍ଷ । ଆଉ ଅମିତଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଓଡ଼ିଶା ବିଜେପି କରିଛି ମାନସ ମନ୍ଥନ । ସଂଘ ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା କରିଛନ୍ତି ସଂଗଠନ ସଂପାଦକ ରାମଲାଲ୍ । ଆଉ ଏସବୁ ଭିତରେ ଓଡ଼ିଶା ବିଜେପିରେ ସାଙ୍ଗଠନିକ ପୁନର୍ବିର୍ନ୍ୟାସ ନେଇ ଚର୍ଚ୍ଚା ଜୋରଧରିଛି ।

odisha bjp

ପଂଚାୟତ ନିର୍ବାଚନରେ ଓଡ଼ିଶା ବିଜେପିର ଯେଉଁ ହାୱା ଚାଲିଥିଲା, ବିଜେପୁର ଉପ-ନିର୍ବାଚନ ଫଳାଫଳ ପରେ ତାହା ଫିକା ପଡ଼ିଗଲା ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ରାଜ୍ୟ ବିଜେପି ନୂଆ ରଣନୀତି ଆପଣାଉଛି ବୋଲି ଖବର ଆସୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୨ଦିନିଆ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ ସଂଗଠନରେ ଏକ ବଡଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଛନ୍ତି ସଂଗଠନର ସଂପାଦକ ସାରଦା ଶପତଥୀ । ଆଉ ତାଙ୍କ ସ୍ଥାନକୁ ଆସିଛନ୍ତି ମାନସ ମହାନ୍ତି । ପ୍ରଶ୍ନ ଉଠୁଛି ଏହି ଘଟଣା ରାଜ୍ୟ ବିଜେପିରେ ଏକ ବଡ ପରିବର୍ତ୍ତନର ଇସାରା କରୁଛି କି ?

ବିଜେପିର ସର୍ବଭାରତୀୟ ସଂଗଠନ ସାଧାରଣ ସଂପାଦକ ରାମଲାଲଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଦଳୀୟ ସଂଗଠନ ନେଇ ମଙ୍ଗଳବାର ଏକ ବିସ୍ତୃତ ଆଲୋଚନା ହୋଇଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ୨୧ଟି ସଂସଦୀୟ କ୍ଷେତ୍ରର ସାଙ୍ଗଠାନିକ ଦାୟିତ୍ୱ ନେଉଥିବା ନେତା ସାମିଲ ହୋଇଥିଲେ । ବିଶେଷ କରି ଦଳ ଏବଂ ସଂଘ ଭିତରେ କିଭଳି ସମନ୍ୱୟ ରହିବ ସେନେଇ ଦିନ ତମାମ୍ ହୋଇଥିବା ମାନସ ମନ୍ଥନ । ବଡ କଥା ହେଲା-ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ସାମିଲ ହୋଇନଥିଲେ । ତେବେ ଅପରାହ୍ନରେ ସେ, ସଂଘ ଏବଂ ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

ମିଶନ୍ ୧୨୦ର ନାରା ଦେଉଥିବା ବିଜେପି ପାଇଁ ବିଜେପୁରରୁ ବଡ ଝଟକା ମିଳିବା ପରେ ରାଜ୍ୟ ସଂଗଠନରେ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସଂଗଠନ ସଂପାଦକ ସାରଦା ଶତପଥୀଙ୍କ ପରେ ପ୍ରଭାରୀ ଏବଂ ରାଜ୍ୟ ସଭାପତିଙ୍କ ଉପରେ ଏବେ ସମସ୍ତଙ୍କ ନଜର । ୨୦୧୯ରେ ମିଶନ ୧୨୦ ଲକ୍ଷ୍ୟରେ ଆଗଉଥିବା ବିଜେପି, ନୂଆ ରଣକୌଶଳ ସହ ମୈଦାନ ପ୍ରସ୍ତୁତ କରିବାର ମୁଳଦୂଆ ଆସନ୍ତାକାଲି ଭବାନୀପାଟଣାରୁ ପଡ଼ିବ ବୋଲି କୁହାଯାଉଛି । ସାଧାରଣ ସଭାକୁ ଉଦବୋଧ ଦେବା ପୂର୍ବରୁ ଅମିତ ଶାହା ଦଳୀୟ ନେତାଙ୍କୁ ଦେଇଥିବା ଦାୟିତ୍ୱରେ କେତେ ଅଗ୍ରଗତି ହୋଇଛି ସେ-ବାବଦରେ ଆଲୋଚନା କରିବେ ବୋଲି ସୂଚନା ମଳିଛି । ବିଜେପୁର ପରାଜୟକୁ ଭୁଲି ଆଗକୁ ବଢ଼ିବାର କେଉଁ ମନ୍ତ୍ର ଅମିତ ଶାହା ଦଳୀୟ ନେତା ଓ କର୍ମୀଙ୍କ ଦେବେ ତା’ ଉପରେ ସମସ୍ତଙ୍କ ନଜର ।