କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ । ମିଶନ ୧୨୦ର ନାରା ଦେଇଥିବା ଅମିତ ଶାହା ପୂର୍ବରୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେଇଥିଲେ । ଏବେ ତାର ସମୀକ୍ଷା କରିବେ । ତେବେ ଅମିତ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମରେ କୌଣସି ସାଧାରଣ ସଭା ନାହିଁ । ବରଂ ସଂଗଠନ ଉପରେ ଫୋକସ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ରବିବାର ଓଡିଶା ଗସ୍ତରେ ଆସୁଥିବା ଅମିତ ଶାହା ରାଜ୍ୟ ନେତାଙ୍କ ସହ କରିବେ ଗୁପ୍ତ ମନ୍ତ୍ରଣା । ୧୨୦ ପ୍ଲସ୍ ମିଶନର ଡାକରା ଦେଇଥିବା ବିଜେପିର ଏହି ଷ୍ଟ୍ରାଟେଜି ମେକର ପୂର୍ବରୁ ଏହାକୁ ସଫଳ କରିବା ପାଇଁ ଗୁରୁ ମନ୍ତ୍ର ମଧ୍ୟ ଦେଇଥିଲେ । ତେଣୁ ଦେଇଥିବା ଦାୟିତ୍ୱର ସମୀକ୍ଷା କରିବା ସହ ରାଜ୍ୟ ବିଜେପି ନେତାଙ୍କ ମୂଲ୍ୟାଙ୍କନ ମଧ୍ୟ କରିବେ । ଶାହା ଦେଇଥିବା ହୋମୱାର୍କରେ କିଏ ରଖିବ କେତେ ନମ୍ବର ତାକୁ ନେଇ ଆଶା, ଆଶଙ୍କାରେ ନେତା । ବଡ କଥା ହେଉଛି, ନିର୍ବାଚନ ବର୍ଷରେ ପାଦ ଥାପିଥିବା ଓଡିଶାକୁ ଯେତେବେଳେ ଅମିତ ଶାହା ଆସୁଛନ୍ତି ସେତେବେଳେ ସାଧାରଣ ସଭା ନୁହେଁ ବରଂ ସଂଗଠନ ଉପରେ ଫୋକସ ଦେବାକୁ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି । କାରଣ ବିଜେପୁର ପରେ ସଂଗଠନ ସଜାଡିବା ନିହାତି ଆବଶ୍ୟକ ବୋଲି ନେତା ଅନୁଭବ କରିଛନ୍ତି ।
ଅମିତଙ୍କ ଚଳିତ ଗସ୍ତରେ ଫୋକସ ରହିବ ତିନି ମୁଖ୍ୟ ସଂସଦୀୟ କ୍ଷେତ୍ର ପୁରୀ, କଟକ ଓ ଭୁବନେଶ୍ୱର । ପଂଚାୟତ ଠାରୁ ଆରମ୍ଭ କରି ସଂଗଠନ ସମ୍ଭାଳିଥିବା ନେତାଙ୍କ ସହ କରିବେ ରୁଦ୍ଧଦ୍ୱାର ଆଲୋଚନା । ଏହା ସହିତ ୧୨୦ପ୍ଲସ ମିଶନର ସଫଳତା ପାଇଁ କିଛି ନୂଆ ରଣନୀତି ମଧ୍ୟ ସ୍ଥିର କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । କେନ୍ଦ୍ର ଯୋଜନା ରାଜ୍ୟରେ କିଭଳି କାର୍ଯ୍ୟକାରୀ ହେଉଛି, ରାଜ୍ୟ ସରକାରଙ୍କ ଅବହେଳା ଆଉ ସଂଗଠନକୁ ମଜଭୁତ କରିବା ଉପରେ ଯେତେବେଳେ ଜୋର ଦେଇ ବିଜେପି ଆଗେଇବାକୁ ଲକ୍ଷ୍ୟ ରଖିଛି, ସେତେବେଳେ ନେତା ଦକ୍ଷତାର ସହ କାର୍ଯ୍ୟ ତୁଲାଇଛନ୍ତି କି ନାହିଁ ତାକୁ ନେଇ ଭବିଷ୍ୟତର ରଣନୀତି ତିଆରି କରିବାକୁ ଯାଉଛନ୍ତି ଶାହା । ନିର୍ବାଚନ ପାଖଉଛି, ସମୀକରଣ ତିଆରି ହେଉଛି ଆଉ ଆଗକୁ ବଦଳିବାକୁ ମଧ୍ୟ ଯାଉଛି । ହେଲେ ଯେତେବେଳେ ବିଗୁଲ ରାଜ୍ୟରେ ବଜାଇ ଶାହା ଯିବେ ଦିଲ୍ଲୀ ସେତେବେଳେ କର୍ମୀ ଆଉ ନେତା ତୃଣମୁଳ ସ୍ତରକୁ ବାର୍ତ୍ତା ପହଂଚାଇ ପାରିବେ କି ନାହିଁ, ତା ଉପରେ ନଜର ରହିବ ।