ପ୍ରଚାର ମୈଦାନରୁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ ଟାର୍ଗେଟ କଲେ ବିଜେଡ଼ି ସାଂସଦ ପ୍ରାର୍ଥୀ ! ଅମିତ ଶାହଙ୍କୁ ଆନ୍ତର୍ଜାତୀୟ ସ୍ତରର ଗୁଣ୍ଡା କହିଲେ ଚନ୍ଦ୍ରଶେଖର ସାହୁ

282

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଶେଷ ହେବ ନିର୍ବାଚନ ପ୍ରଚାର । ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ମାତ୍ର କେଇ ଘଂଟା ସମୟ । ସ୍ୱଳ୍ପ ସମୟରେ ବିନିଯୋଗ କରି ଲୋକଙ୍କ ନିକଟତର ହେବାପାଇଁ ଦମ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ଆକର୍ଷିତ କରିିବା ପାଇଁ ପୁରା ଜୋର ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ କୋରାପୁଟ, ବ୍ରହ୍ମପୁର, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଏହି ମର୍ମରେ ବ୍ରହ୍ମପୁରରେ ପ୍ରଚାର ସରଗରମ ହୋଇଛି । ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ଚନ୍ଦ୍ରଶେଖର ନାଇଡ଼ୁ ଲୋକଙ୍କ ମନ ଜିଣିବା ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।

ଚନ୍ଦ୍ରଶେଖର ସାହୁ ଚିକିଟର ବିଜେଡ଼ି ବିଧାନସଭା ପ୍ରାର୍ଥୀ ଉଷା ଦେବୀଙ୍କ ପାଇଁ ପ୍ରଚାର କରିଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହ ପ୍ରଚାର ମଇଦାନରୁ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ । ଗଞ୍ଜାମକୁ ଆସି ବିଜେପି ନେତାମାନେ ପ୍ରଚାର କରୁଛନ୍ତି । ହେଲେ ଏହାର କାଣିଚାଏ ବି ପ୍ରଭାବ ଗଞ୍ଜାମବାସୀଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ଚନ୍ଦ୍ରଶେଖର ସାହୁ । ଅମିତ ଶାହ ଭାରତ ବର୍ଷର ନୁହେଁ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା । ତାଙ୍କୁ ଗୁଜରାଟରୁ ତଡ଼ିପାର କରାଯାଇଥିଲା । ଆଉ ଆଜି ସେ ବିଜେପିର ବଡ଼ପଣ୍ଡା ପାଲଟିଛନ୍ତି । ଓଡ଼ିଶା ଲୋକଙ୍କ ଉପରେ ତାଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ । ୨୦୧୪ରେ ସମସ୍ତେ କହୁଥିଲେ ଓଡ଼ିଶାରେ ବି ବିଜେପି ବିଜୟୀ ହେବ । ହେଲେ ନବୀନଙ୍କ ଶାସନ ଆଗରେ ଫିକା ପଡ଼ିଗଲା ମୋଦି ଲେହେର । ଆଗାମୀ ନିର୍ବାଚନରେ ମଧ୍ୟ ବିଜେପିର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ଚନ୍ଦ୍ରଶେଖର ସାହୁ କହିଛନ୍ତି ନବୀନଙ୍କ ଶାସନକାଳରେ ରାଜ୍ୟରେ ବିକାଶଧାରାରେ ବୃଦ୍ଧି ହୋଇଛି । ଜନମାନସରେ ତଥା ସମସ୍ତଙ୍କ ହୃଦୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଭାବମୂର୍ତ୍ତିକୁ ଅସ୍ତ୍ର କରି ପ୍ରଚାର ଚାଲିଛି । ଲୋକମାନେ ସମସ୍ତେ ଚାହୁଁଛନ୍ତି ପୁଣି ପଂଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏହି ପରିପେକ୍ଷୀରେ ଚିକିଟିର ବିଧାୟକ ପ୍ରାର୍ଥୀ ଉଷା ଦେବୀ ମଧ୍ୟ ଷଷ୍ଠ ଥର ପାଇଁ ବିଧାୟକ ହେବେ । ସାଂସଦ ଭାବେ ମୋତେ ମଧ୍ୟ ଲୋକେ ନିଶ୍ଚୟ ଗ୍ରହଣ କରିବେ ବୋଲି ଆଶାବଦୀ ଅଛି ।