କନକ ବ୍ୟୁରୋ : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ସିଂପାଟିଲଙ୍କ ସହ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି । ଗୃହମନ୍ତ୍ରୀଙ୍କ ଗସ୍ତ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ପୁରୀରୁ ରାଜଧାନୀକୁ ଫେରିଆସିବେ । ଏକାମ୍ର କ୍ଷେତ୍ରରେ ପହଞ୍ଚିବା ଶାହା ଲିଙ୍ଗରାଜ ମନ୍ଦିର ଯାଇ ମହାଦେବଙ୍କୁ ଦର୍ଶନ କରିବେ ।

Advertisment

ଆଜି ପୂର୍ବାହ୍ନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ସେ ପ୍ରାୟ ଅଧ ଘଣ୍ଟା ମନ୍ଦିର ପରିସର ବୁଲିବେ। ଶାହାଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯିବ। ଶାହା ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ। ଶାହାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିବେ। ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯିବ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ପୂର୍ବାହ୍ଣରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସେ ରାଜ୍ୟ ଲୋକସେବା ଭବନକୁ ଯାଇ ସେଠାରେ ଥିବା ସମ୍ମେଳନ କକ୍ଷରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ‘ବିଶାଳ ଜନସମାବେଶ’କୁ ସମ୍ବୋଧନ କରିଥିଲେ। ପରେ ସେ ବିଜେପିର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମୀଙ୍କ ସହିତ ରୁଦ୍ଧ ଦ୍ୱାରା କଠୋରୀରେ ବୈଠକ କରିଥିଲେ। ଏହା ପରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ।