ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତ, ପ୍ରଶଂସା କଲା ଆମେରିକା

41

କନକ ବ୍ୟୁରୋ : ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ଭାରତକୁ ଆମେରିକା ପ୍ରଶଂସା କରିଛି । ପାକିସ୍ତାନ ତରଫରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଭାରତ ସୀମାରେ ନିୟମିତ ଭାବେ ହିଂସାକାଣ୍ଡ ଘଟୁଛି । କିନ୍ତୁ ଭାରତ ଲଗାତର ଭାବେ ନିଜ ସାମର୍ଥ୍ୟ ଖଟାଇ ଏହାର କଡ଼ା ମୁକାବିଲା କରି ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ ସୃଷ୍ଟି କରିଛି । ଏହା ବେଶ୍‌ ପ୍ରଶଂସାଯୋଗ୍ୟ ବୋଲି ଆମେରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି । ଆମେରିକା ଏହାର ବାର୍ଷିକ ‘କଣ୍ଟି୍ର ରିପୋର୍ଟ ଅନ୍‌ ଟେରରିଜମ୍‌’ରେ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଘରୋଇ କ୍ଷେତ୍ରରେ ନିୟନ୍ତ୍ରଣ ପାଇଁ ଭାରତ ସୁଚିନ୍ତିତ ପଦକ୍ଷେପ ନେଇଛି ।

ସେହିଭଳି ଏହି କାର୍ଯ୍ୟକଳାପ ଯୋଗୁ ପ୍ରଭାବିତ ହେଉଥିବା ଲୋକଙ୍କୁ ମଧ୍ୟ ଏହା ନ୍ୟାୟ ଦେଇପାରିଛି । ଖାଲି ସେତିକି ନୁହେଁ, ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପରତା ଦେଖାଉଥିବା ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଏହା ନିୟମିତ ପରାମର୍ଶ ଓ ସହଯୋଗ କରିଆସୁଛି । ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଦେଶର ଉତ୍ତରପୂର୍ବ ରାଜ୍ୟ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଉଭୟ ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପକୁ ଭାରତ ସୁଚାରୁରୂପେ ନିୟନ୍ତ୍ରଣ କରୁଛି । ପ୍ରାୟ ପ୍ରତ୍ୟେକ ଦିନ ଆତଙ୍କବାଦୀ କିମ୍ବା ମାଓବାଦୀମାନେ ହିଂସାକାଣ୍ଡ ଘଟାଉଥିବା ବେଳେ ଭାରତୀୟ ସୁରକ୍ଷା ବାହିନୀ ତାହାର ଜବାବ ଦେଉଛନ୍ତି ।

ଏହା ମଧ୍ୟ ବେଶ୍‌ ପ୍ରଶଂସାଯୋଗ୍ୟ ।  ଅଲ୍‌-କାଏଦା, ଆଇଏସ୍‌ଆଇଏସ୍‌, ଜୈଶ୍‌-ଏ-ମହମ୍ମଦ, ଲସ୍କର-ଏ-ତଇବା ଏବଂ ଡି-କମ୍ପାନି ଭଳି ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ହେଉଥିବା ଆକ୍ରମଣର ମୁକାବିଲା ପାଇଁ ଆମେରିକା ଓ ଭାରତ ୨୦୧୭ରେ ହାତ ମିଳାଇଥିଲେ । କ୨୦୧୭ ଜୁନ୍‌ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଥିଲେ ।