କନକ ବ୍ୟୁରୋ : କୃଷ୍ଣକାୟଙ୍କ ମୃତ୍ୟୁ ପରେ ପ୍ରତିବାଦର ନିଆଁରେ ଜଳୁଛି ଆମେରିକା । ଆମେରିକାରେ ୨୪ରୁ ଅଧିକ ସହରରେ ଅଶ୍ୱେତ ନାଗରିକଙ୍କ ମୃତ୍ୟୁକୁ ନେଇ ଜାରି ରହିଛି ବିରୋଧ ପ୍ରଦର୍ଶନ । ୱାସିଂଟନର ହ୍ୱାଇଟ୍ ହାଉସ୍ ବାହାରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରତିବାର ଉଗ୍ର ହେବାରୁ ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପଙ୍କୁ ବଙ୍କରରେ ଯାଇ ଲୁଚିବାକୁ ପଡ଼ିଛି । ତେବେ ତାଙ୍କର ସୁରକ୍ଷାରେ କୌଣସି ବିପଦ ନାହଁ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି ।
ବଙ୍କର୍ ମଧ୍ୟରେ ଟ୍ରମ୍ପ୍ ପ୍ରାୟ ଘଣ୍ଟାଏ ଅତିବାହିତ କରିଥିଲେ ବୋଲି ନାମ ଗୋପନ ରଖି ହ୍ବାଇଟ୍ ହାଉସ୍ର ଜଣେ ନିକଟତମ ରିପବ୍ଲିକାନ୍ କହିଛନ୍ତି । ଆତଙ୍କବାଦ ଆକ୍ରମଣ ଭଳି ଜରୁରୀ ପରିସ୍ଥିତି ନିମନ୍ତେ ଏହି ବଙ୍କର୍ ନିର୍ମାଣ କରାଯାଇଛି । ହ୍ବାଇଟ୍ ହାଉସ୍ ମଧ୍ୟରେ ଥିବା ଗୁଇନ୍ଦା ଏଜେଣ୍ଟମାନେ ବିବ୍ରତ ହୋଇ ହଠାତ୍ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି ।
ବିପୁଳ ଜନତା ଓ ସେମାନଙ୍କ ବିଷୋଦ୍ଗାରଣ ଯୋଗୁଁ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ଭୀତତ୍ରସ୍ତ ହୋଇଯାଇଥିଲେ। ଫାଷ୍ଟ୍ ଲେଡି ମେଲାନିଆ ଏବଂ ସେମାନଙ୍କର ୧୪ ବର୍ଷିୟ ପୁଅଙ୍କୁ ବଙ୍କର୍ ମଧ୍ୟକୁ ନିଆଯାଇଥିଲା କି ନାହିଁ ତାହା ହଠାତ୍ ଜଣାପଡ଼ିନାହିଁ।
ଗତ ସୋମବାର ପୁଲିସ ନିର୍ଯାତନା ଯୋଗୁଁ ଜର୍ଜ ଫ୍ଏଡ୍ ନାମକ ଜଣେ କୃଷ୍ଣକାୟ ସମ୍ପ୍ରଦାୟ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଆମେରିକାର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ ଚାଲିଛି। ଶୁକ୍ରବାର ଦିନ ମଧ୍ୟ ଲାଫେୟେଟି ପାର୍କରେ ପ୍ରତିବାଦକାରୀମାନେ କରୁଥିବା ଚିତ୍କାର ହ୍ବାଇଟ୍ ହାଉସ୍କୁ ଶୁଭୁଥିଲା ଏବଂ ସେମାନଙ୍କୁ ଦମନ କରିବାକୁ ଗୁଇନ୍ଦା ଏଜେଣ୍ଟ୍ ଓ ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ଉଦ୍ୟମ ଚଳାଇଥିଲେ।