କନକ ବ୍ୟୁରୋ : କଟକ ଜିଲ୍ଲାର ୨୦ଟି ଗାଁ କୁ ଆଜି ବି ଅପହଞ୍ଚ ଆମ୍ବୁଲାନ୍ସ ସେବା । କେଉଁଠି ରାସ୍ତା ନାହିଁ ତ ଆଉ କେଉଁଠି ନଈ, ନାଳ, ବନ୍ୟଜନ୍ତୁ ସାଜିଛନ୍ତି ପ୍ରତିବନ୍ଧକ । ସ୍ବାସ୍ଥ୍ୟ ସେବାରୁ ବଂଚିତ ଅଂଚଳବାସୀ । ଗର୍ଭବତୀ ମା’ ବି ଆସିପାରୁନି ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ । ଟୀକାକରଣ କଥା ନ କହିବା ଭଲ । ରାଜ୍ୟର ଅଗ୍ରଣୀ ଜିଲ୍ଲା କଟକର ଏଭଳି ଚିତ୍ର ବିକାଶର ନାରାକୁ ଆହ୍ବାନ ଦେଉଛି ।
ଜିଲ୍ଲାର ନରସିଂହପୁର, ବଡମ୍ବା ଓ ଟାଙ୍ଗୀ ଅଂଚଳରେ ଏଭଳି ଗାଁ ରହିଛି । ନରସିଂହପୁର ବ୍ଲକ୍ର ସାତକୋଶିଆ ପାଦଦେଶରେ ଥିବା ବାଙ୍କଧର, କଇଁତରା, ଦଲକ, ବେଣୀପଥର, ନଣ୍ଡଗୋଳ, ଖାରୁଆଣି, ବୋରସ, କୁଶଳ, ଟାଙ୍ଗୀର ମଙ୍ଗରାଜପୁର ପଞ୍ଚାୟତର ବାଞ୍ଜିଆମା, ଗରୁଡ ଗାଁ ପଂଚାୟତର ୪ଟି ଗାଁ ସମେତ ଜିଲ୍ଲାର ୨୦ରୁ ଅଧିକ ଗାଁରେ ସରୁଆ ରାସ୍ତା, ପାଦଚଲା ରାସ୍ତା ଓ ନଈ, ନାଳ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଯାଇପାରୁନି । ଗୁରୁତର ରୋଗୀଙ୍କୁ ମଧ୍ୟ ଅନେକ ସମୟରେ ମେଡିକାଲ ପର୍ଯ୍ୟନ୍ତ ଆଣିପାରୁନାହାନ୍ତି ଗ୍ରାମବାସୀ ଓ ସଂପର୍କୀୟ ।
ଗୋଟିଏପଟେ ରାସ୍ତା ସମସ୍ୟା ତ ଅନ୍ୟପଟେ ବନ୍ୟଜନ୍ତୁ ଭୟ । ସଂଜ ନଇଁଲେ ସବୁ ବନ୍ଦ । ବିଶେଷ କରି ଏହି ସବୁ ଅଞ୍ଚଳ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି । ଡାକ୍ତରୀ ଚିକିତ୍ସା ବଦଳରେ ଗାଁରେ ଝଡାଫୁଙ୍କାକୁ ବିଶ୍ବାସ କରି ମେଡିକାଲ ପର୍ଯ୍ୟନ୍ତ ଆସିପାରନ୍ତିନି ସେମାନେ । ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଭଲ ପଦକ୍ଷେପ ନେଉଥିବାବେଳେ ଏସବୁ ଠୁ ଦୂରରେ ଏହି ସବୁ ଅଂଚଳ ।