ପ୍ରତିଦିନ ଯୋଗ କରନ୍ତୁ ଓ ନିରୋଗ ରୁହନ୍ତୁ . . . . 

199

ସମସ୍ତେ ଜାଣନ୍ତି ଯୋଗ ଅଭ୍ୟାସ ଶରୀର ପାଇଁ କେତେ ଉପକାରୀ । ଆଜିକାଲି ସରକାର ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ,ଆତ୍ମା ଏକ ସହ କାମ କରେ । ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିସ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରେ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ । କେତେକ ମନେ କରନ୍ତି ଯେ ଏକ ଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ ।  କିନ୍ତୁ ଏହା ଠିକ୍ ନୁହେଁ ।

ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ । ଏହାର କିଛି ପଦ୍ଧତି ରହିଛି । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ । ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ  ଅଟେ । ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ । ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ । ପ୍ରତିଦିନ କିଛି ସମୟ ଯୋଗ କଲେ  ଫିଟ୍ ଓ ଶାନ୍ତ ଅନୁଭବ କରିବେ । ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । ଯଦି ନିୟମିତ ଯୋଗ କରିବାକୁ ଚାହୁଁଛନ୍ତି ତା’ହେଲେକିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ  ।

– ଯୋଗ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ । କାରଣ ଅସୁସ୍ଥ ଥିଲେ ଯୋଗ କରିବା ଅନୁଚିତ ।

– ଯୋଗ କରିବାର ପ୍ରକୃଷ୍ଠ ସମୟ ହେଲା ସକାଳ ଓ ସନ୍ଧ୍ୟା ସମୟ ।

– ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ ।

– ଯୋଗ କରିବା ପୂର୍ବରୁ ପେଟ ଖାଲି ରଖନ୍ତୁ ।

– ଯୋଗ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ । ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ ।

– ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ  ।  ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ ।

– ୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ ।

– ଯୋଗ କରିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ ।