ଅମରନାଥ ଯାତ୍ରା ଆରମ୍ଭ : ସମଗ୍ର ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୬୦ ହଜାର ଯବାନ ମୁତୟନ

134

କନକ ବ୍ୟୁରୋ : କଡ଼ା ସୁରକ୍ଷା ବଳୟ ଭିତରେ ଗତକାଲିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ୭୫୦୦ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ବାହାରିଥିବା ବେଳେ ସେମାନେ ହିମାଳୟର ପବିତ୍ର ଗୁମ୍ଫା ସ୍ଥିତ ବାବା ବର୍ଫାନିଙ୍କ ଦର୍ଶନ କରିବେ । ଗତକାଲି କଶ୍ମୀର ଘାଟିରୁ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ଜମ୍ମୁରୁ ୪୪୧୭ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରି ବାଲଟାଲ ଶିବିରରେ ପହଞ୍ଚିଥିଲେ । ସମଗ୍ର ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଏଥିରେ ପ୍ରାୟ ୬୦ ହଜାର ଯବାନ ନିୟୋଜିତ ଅଛନ୍ତି ।

ସବୁଠି ସିସିଟିଭି କ୍ୟାମେରା ଲଗାଯିବା ସହ ଯବାନଙ୍କ ହେଲମେଟ୍‌ରେ ମଧ୍ୟ କ୍ୟାମେରା ଲଗାଯାଇଛି । ପ୍ରତ୍ୟେକ ସମ୍ବେଦନଶୀଳ ଅଂଚଳ ଏବଂ ଦୁର୍ଗମ ବୁଲାଣିଗୁଡ଼ିକରେ ସପ୍ତାହକ ପୂର୍ବରୁ ସ୍ଥିତି ଯାଞ୍ଚ କରାଯିବା ସହ ଆତଙ୍କବାଦୀଙ୍କ ଯେ କୌଣସି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବାକୁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ତୟାର ଅଛନ୍ତି । ଉତ୍ତର କଶ୍ମୀରର ବାଲଟାଲ ଶିବିରରୁ ୭୫୦୦ ତୀର୍ଥଯାତ୍ରୀ ଆଜି ଏକସଂଗରେ ଯାତ୍ରା କରିଥିବା ବେଳେ ସେମାନେ ପହଲଗାମ ମାର୍ଗ ଦେଇ ଛଡ଼ି ମୁବାରକ୍‌ରେ ପହଞ୍ଚିଛନ୍ତି । ଏହି ୪୫ ଦିନିଆ ବାର୍ଷିକ ଯାତ୍ରା ଅଗଷ୍ଟ ୧୫ ତାରିଖ ଦିନ ସଂପନ୍ନ ହେବ ।

ଗତକାଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ବାବା ବର୍ଫାନିଙ୍କ ଗର୍ଭଗୃହରେ ପୂଜା କରିବା ସହ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ପରଠାରୁ ଜମ୍ମୁ କଶ୍ମୀରରେ ସୁରକ୍ଷା ରଣନୀତି ବଦଳିଛି । କେନ୍ଦ୍ର ସରକାର ଅମରନାଥ ଯାତ୍ରାର ସୁରକ୍ଷା ବନ୍ଦୋବସ୍ତ ଉପରେ ଅହରହ ନଜର ରଖୁଛନ୍ତି । ସମଗ୍ର ଦେଶରୁ ୧.୫ ଲକ୍ଷ ତୀର୍ଥଯାତ୍ରୀ ଏହି ଯାତ୍ରାରେ ଯିବା ପାଇଁ ପଂଜୀକରଣ କରାଇଛନ୍ତି ।