ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର : ଭୁବନେଶ୍ୱରର କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍

3,692

କନକ ବ୍ୟୁରୋ : ରାଜ୍ୟରେ କରୋନା ଭୂତାଣୁରେ ଏବେ ସୁଧା ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ ଜଣ ରହିଛନ୍ତି । ଏବଂ ୩୨ ଜଣଙ୍କ ମଧ୍ୟରୁ ଅଧିକାଂଶ ମାମଲା ବମିଖାଲ ଓ ସୂର୍ଯ୍ୟନଗର ଅଂଚଳର ବୋଲି ସରକାରଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ବମିଖାଲ ଅଂଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ଟୁଇଟରେ ସୂଚନା ଦିଆଯାଇଛି । ଏସବୁ ଅଂଚଳକୁ ସିଲ୍ କରାଯାଇଛି । ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଛି । ଗତକାଲି ୧୬ ଜଣଙ୍କ ରିପୋର୍ଟ ପଜିଟିିଭ ଆସିଥିଲା ।

ସେମାନଙ୍କ ମଧ୍ୟରୁ ୧୫ଟି ବମିଖାଲ ଅଂଚଳର ବୋଲି ସୂଚନା ଦେଇଛନ୍ତି ସରକାର । ଏହାପୂର୍ବରୁ ଗତକାଲି ଦିନରେ ବମିଖାଲ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବଂ ଶନିବାର ବମିଖାଲ ଅଂଚଳରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ କେବଳ ବମିଖାଲ ଅଂଚଳରେ ୧୯ଜଣ ଆକ୍ରାନ୍ତ ରହିଛନ୍ତି । ଏବଂ ସମସ୍ତେ ଗୋଟିଏ ପରିବାରର । ସେହିପରି ସୂର୍ଯ୍ୟନଗର ଅଂଚଳରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପଟେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ କୋରନାକୁ ନେଇ ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଆକ୍ରାନ୍ତ ସମସ୍ତେ ଅବରୋଧ ଅଂଚଳର । ତେଣୁ ଲୋକେ ଲକଡାଉନ୍ ମାନନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ । ଏଥିସହ ଲକଡାଉନ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ନବୀନ କହିଛନ୍ତି, ଲକଡାଉନ୍ ଏବଂ ସାମାଜିକ ଦୂରତା ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।