ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ । ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି

Advertisment
ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ । ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି

https://b-chief.org/

କନକ ବ୍ୟୁରୋ :  ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି। ଏଣିକି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ଏହିସବୁ ସେବା ଉପଲବ୍ଧ କରାଯିବା। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ପ୍ରସ୍ତୁତ କରୁଛି। ଏହାକୁ ସରଳ ଓ ଦ୍ବିଭାଷୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ଲୋକସେବା ଭବନରେ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉତ୍ତମ ବିଦ୍ୟୁତ ସେବା ଯୋଗାଣରେ ପୋର୍ଟାଲ୍‌ର ଉପଯୋଗିତା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏଥିରେ ବିଦ୍ୟୁତ ସଂଯୋଗ ଦେୟ ସବୁ ବିତରକ କମ୍ପାନି ଅଞ୍ଚଳରେ ସମାନ ରହିବ। ବିଦ୍ୟୁତ ଭିତ୍ତିଭୂମି ଥିବା ଅଞ୍ଚଳରେ ଘରୋଇ ଓ ୫ କିଲୋଓ୍ବାଟ୍‌ ପର୍ଯ୍ୟନ୍ତ ଲଘୁ ଉଦ୍ୟୋଗ ଉପଭୋକ୍ତାମାନଙ୍କୁ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ଉପଭୋକ୍ତା ଓ ସମ୍ପୃକ୍ତ ବିତରକ କମ୍ପାନି ଅଧିକାରୀଙ୍କୁ ଏସ୍‌.ଏମ୍‌.ଏସ୍‌ ଯୋଗେ ସୂଚନା ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ, ଚୁକ୍ତି ପତ୍ର, ବିଲ୍‌ ଓ ବିଲ୍‌ ପଇଠ ସୁବିଧା ଆଦି ସେହି ପୋର୍ଟାଲ୍‌ ମାଧ୍ୟମରେ କରାଯିବ। ବିଶେଷକରି ବିଦ୍ୟୁତ୍‌ ଗ୍ରାହକମାନେ ଆପତ୍ତି ଅଭିଯୋଗ ଦାଖଲ ଓ ଆଶୁ ସମାଧାନ ପାଇଁ ପୋର୍ଟାଲ୍‌କୁ ବ୍ୟବହାର କରିପାରିବେ।

ରାଜ୍ୟ ସରକାରଙ୍କ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟକାରୀ ହେଉଥିବା ୫’ଟି’ ସିଦ୍ଧାନ୍ତ ଆଧାରରେ ଏହି ପୋର୍ଟାଲ୍‌ ବିଶେଷ ସହାୟକ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ସାଧାରଣ ଲୋକ ବୁଝିପାରିବା ଭଳି ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଏହି ପୋର୍ଟାଲ୍‌ର ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୋର୍ଟାଲ ଜରିଆରେ ଆଗକୁ ଉପଭୋକ୍ତାମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତି କରିବାକୁ ୪ଟି ବିତରକ କମ୍ପାନିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରିଡକୋ ଅଧ୍ୟକ୍ଷ ସୌରଭ ଗର୍ଗ୍‌, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗ୍ରିଡକୋର ବିତ୍ତ ନିର୍ଦ୍ଦେଶକ ଗଗନ ସ୍ବାଇଁ, ଓପିଟିସିଏଲ୍‌ ମହାପ୍ରବନ୍ଧକ ପ୍ରିୟଦର୍ଶୀ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe