କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ଆଜି ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ

6,570

କନକ ବ୍ୟୁରୋ : କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା । ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ଗାଡ଼ି ବନ୍ଦ । ରାଜ୍ୟ ତମାମ ସମସ୍ତ ବସ ଚଳାଚଳ ବନ୍ଦ ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ଗଡ଼ିବନି ବସ୍ । ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କେବଳ ଏତିକି ନୁହେଁ ଆଜି ରାତି ୧୨ଟାରୁ ସିଟି ବସ ସେବା ମଧ୍ୟ ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେବଳ ଏତିକି ନୁହେଁ, ରାଜ୍ୟରେ ଲକ୍‌-ଡାଉନ୍‌କୁ ଆହୁରି ଗୁରୁତର ସହ ନିଆଯିବ ବୋଲି ସେ କହିଛନ୍ତି।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଜନଜୀବନ ଗତିରେ ବାଧା ଘଟିପାରେ । ହେଲେ ଏପରି ହେଲେ ହିଁ କରୋନାର ମୁକାବିଲା କରିହେବ ବୋଲି କହିଛନ୍ତି ସୁବ୍ରତ ବାଗଚୀ । କରୋନା ଭାଇରସ୍ ସାରା ମାନବ ଜାତି ପାଇଁ ବଡ଼ ଧକ୍କା । ପିଲାଛୁଆଙ୍କୁ ସୁରକ୍ଷିତ ରଖିବା ପାଇଁ ଆମକୁ ସଚେତନ ହେବାକୁ ପଡ଼ିବ । କରୋନାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଚାଲୁ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାର ଲଗାତାର ସମୀକ୍ଷା କରୁଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାର କରୋନା ରୋକିବା ପାଇଁ ତିନୋଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କରୋନା ଭାଇରସକୁ ମହାମାରୀ ରୂପ ନେବା ଆଗରୁ ବନ୍ଦ କରିବା ପାଇଁ ହେବ । ଅଳ୍ପ ସମୟ ଭିତରେ ଅଧିକ ସାଧନ ପ୍ରସ୍ତୁତ କରିବା ପାଇଁ ପଡ଼ିବ । ଲକ୍ ଡାଉନ୍ ଗୁଡ଼ିକ ସମୟରେ ମାଲବାହୀ ଯାନ ଗୁଡ଼ିକ କିପରି ଯାତାୟତ କରିପାରିବ ସେଥିପ୍ରତି ଧ୍ୟାନ ଦିଆଯିବ ।

ଅନ୍ୟପଟେ ରାଜ୍ୟରେ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ମହାମାରୀ ରୋଗ ଆଇନ୍ ଅନୁସାରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି, ସମସ୍ତ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ ଗୁଡ଼ିକ ଶତକଡ଼ା ୧୦ ଭାଗ କର୍ମଚାରୀରେ କାମ କରିବେ । ଏଥିପାଇଁ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ, କର୍ମଚାରୀଙ୍କ ନାଁ ନିର୍ଦ୍ଧାରିତ ଫର୍ମାଟରେ ଯାତାୟତ ପାଇଁ ଅନୁମତି ପ୍ରଦାନ କରିବେ । ଗାଡ଼ି ପାସ୍ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟର ମୁଖ୍ୟ, ସ୍ଥାନୀୟ ଥାନାକୁ ଜଣାଇଦେବେ ।

ଜିଲ୍ଲାପାଳଙ୍କୁ ହୋମ କ୍ୱାରେଣ୍ଟାଇନ୍ ବିଷୟରେ ଅଧିକ କ୍ଷମତା ଦିଆଯାଇଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରୁ ହୋମ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।