ଗୋଷ୍ଠୀ ସଂକ୍ରମଣ ବିପଦର ଦ୍ୱାରଦେଶରେ ରାଜ୍ୟ । ସତର୍କ କଲେ ବିଶେଷଜ୍ଞ

586

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତିକୁ ନେଇ ଏବେ ଆଶଙ୍କା ବଢିବାରେ ଲାଗିଛି । କେନ୍ଦ୍ର ସରକାର ନିୟମ କୋହଳ କରିଥିବାବେଳେ ରାଜ୍ୟ ସରକାର କିଛିଟା ଅଧିକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହିତ ମାମଲା ଅଦାଲତରେ ପହଞ୍ଚିଛି । ଯେଉଁ ହାରରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, ତାହାକୁ ନେଇ ବିଶେଷଜ୍ଞମାନେ ବି ଆଗକୁ ଆସୁଥିବା ସ୍ଥିତି ବେକାବୁ ହେବାକୁ ନେଇ ଆଶଙ୍କା ବ୍ୟକ୍ତ କଲେଣି । ବର୍ତ୍ତମାନ ସମୟରେ ଯଦି ଆବଶ୍ୟକ ପଦକ୍ଷେପ ଆଉ ସତର୍କତା ଗ୍ରହଣ କରା ନଯାଏ ତେବେ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ହେବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବିର ପୂବର୍ତନ ଡିନ୍ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ କହିବା ଅନୁଯାୟୀ କରୋନା ଗୋଷ୍ଠୀ ସଂକ୍ରମଣର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ଯଦି କୌଣସି ଜଣାଶୁଣା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନ ଥାଇ ବି କରୋନାରେ ସଂକ୍ରମିତ ହେବା । ଯେଉଁ ସ୍ଥାନରେ କୋଭିଡ୍‌ ସଂକ୍ରମଣ ବହୁତ ଅଧିକ, ସେହି ସ୍ଥାନରୁ ଆସି ନଥାଇ ବି କରୋନାରେ ସଂକ୍ରମିତ ହେବା । ଏହାବ୍ୟତୀତ ଲକ୍ଷଣ ନଥିବା ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଯଦି କେହି କରୋନା ସଂକ୍ରମିତ ହୁଅନ୍ତି ତେବେ ତାହାକୁ ବି ଗୋଷ୍ଠୀ ସଂକ୍ରମଣ କୁହାଯିବ। ରାଜ୍ୟରେ ଶତକଡା ୯୦ ପ୍ରତିଶତ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି ପ୍ରବାସୀ ।

ସେମାନେ ଭାରତର ବିଭିନ୍ନ ପ୍ରାନ୍ତରୁ ଓ ବିଦେଶରୁ ଆସିଛନ୍ତି। ଏହାବ୍ୟତିତ କେତେଜଣ ସ୍ବାସ୍ଥ୍ୟକର୍ମୀ, ଅଙ୍ଗବାଡି କର୍ମୀ, ଆଶା କର୍ମୀ ଏବେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନେ ହୁଏତ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି। ଏମାନଙ୍କୁ ବାଦ୍‌ଦେଲେ ଯଦି ଅନ୍ୟ କେହି ସଂକ୍ରମିତ ହୋଇଥାନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜରୁରୀ। ଯଦି କଣ୍ଟାକ୍ଟ ଟ୍ରେସିଂରେ କେହି ନମିଳନ୍ତି ତାହେଲେ ସେଭଳି କ୍ଷେତ୍ରରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଭାରତରେ ଯେଉଁଭଳି ଭାବେ ପ୍ରତିଦିନ ‌ଆକ୍ରାନ୍ତଙ୍କ ସଂଖ୍ୟା‌ ବଢୁଛି ସେଭଳି କ୍ଷେତ୍ରରେ ଆଇସିଏମ୍‌ଆର ଗୋଷ୍ଠୀ ସଂକ୍ରମଣକୁ ଅନ୍ୟ ଏକ ବାଖ୍ୟା ଦେଇ ଏହାକୁ ସରଳୀକରଣ କରିବାକୁ ଚେଷ୍ଟା କରୁଛି। ଅନ୍ୟପଟେ ଆଇସିଏମ୍‌ଆର ସଂକ୍ରମିତ ହୋଇ ନଥିବା ପ୍ରାୟ ୩୪ ହଜାର ଲୋକଙ୍କ ରକ୍ତ ନମୁନା ନେଇ କୋଭିଡ୍‌ ଆଣ୍ଟିବଡିର ମାତ୍ରା ନିର୍ଣ୍ଣୟ କରିବାକୁ ପରୀକ୍ଷା ଚଳାଇଛି। ଏହି ରିପୋର୍ଟ ଆସିବା ପରେ ଭାରତରେ ତଥା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ତାର ଠିକ୍‌ ପ୍ରମାଣ ମିଳିବ। କିନ୍ତୁ ବର୍ତ୍ତମାନଠାରୁ ରାଜ୍ୟରେ ଅଧିକ ସତର୍କତା ଜରୁରୀ ବୋଲି ଡାକ୍ତର ଦାସ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ଏଯାଏ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ତଥା କୋଭିଡ୍‌ କ୍ରିଟିକାଲ କେୟାର ତାଲିମ୍‌ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା। ଯେଉଁମାନେ ବି କମ୍ୟୁନିଟିରୁ ବାହାରୁଛନ୍ତି ସେମାନେ ନିଶ୍ଚିତଭାବେ କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଅଧିକାଂଶ ଆକ୍ରାନ୍ତ ପ୍ରବାସୀ ଓ ସେମାନେ ଟିଏମ୍‌ସିରେ ସଙ୍ଗରୋଧରେ ରହୁଛନ୍ତି। ସେଠାରୁ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିବାବେଳେ ସେଗୁଡିକ ହିଁ ପଜିଟିଭ ଆସୁଛି। ଆଇସିଏମ୍‌ଆର ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ନେଇ ଆରମ୍ଭ ହୋଇଥିବା ସର୍ଭେରେ ରକ୍ତର ଆଣ୍ଟିବଡି ଟେଷ୍ଟ କରାଯାଉଛି।

ଅର୍ଥାତ୍‌ କୋଭିଡ୍‌ ନଥିବା ଲୋକଙ୍କ ରକ୍ତର ଆଣ୍ଟିବଡି ପରୀକ୍ଷା ଆରମ୍ଭ ହୋଇଛି। ତା ରିପୋର୍ଟ ପରେ ହିଁ ଏହାର ସ୍ଥିତି ଜଣାପଡିବ। ଭାରତର ପ୍ରତି ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ମାସେ ଭିତରେ ଦୁଇଶହ ପରୀକ୍ଷା କରାଯିବାର ଟାର୍ଗେଟ ରଖାଯାଇଛି। ଅନେକ ରାଜ୍ୟ ଗୋଷ୍ଠୀ ସଂକ୍ରମଣ ସ୍ତରକୁ ଗଲାଣି, କିନ୍ତୁ ଓଡ଼ିଶା ଏବେ ବି ସୁରକ୍ଷିତ ଅଛି। କିନ୍ତୁ ବର୍ତ୍ତମାନ ସରକାରଙ୍କ ଦାୟିତ୍ବ କହି ଖସିଗଲେ ହେବନି ବରଂ ନିଜକୁ ଅଧିକ ସୁରକ୍ଷିତ ହେବାକୁ ପଡିବ। ଫ୍ଲାଇଟ୍‌, ରେଳ, ବସ୍‌ ସେବା ଆରମ୍ଭ ହୋଇଥିବା ବେଳେ ସାମାଜିକ ଦୂରତ୍ବ ପ୍ରଭାବିତ ହେବାକୁ ବସିଛି। ତେଣୁ ଯଦି ସତର୍କତା ନରୁହେ ତେବେ ଜୁନ ଶେଷ ବେଳକୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁ ଯିବା ବି ଅତ୍ୟୁକ୍ତି ହେବ ନାହିଁ ବୋଲି ଡାକ୍ତର ପଣ୍ଡା କହିଛନ୍ତି।