ଓଡିଆ ସଂଗୀତର ମୁକୁଟ ବିହୀନ ସମ୍ରାଟଙ୍କ ଜନ୍ମଦିନ ! ଏବେ ବି ସମସ୍ତଙ୍କ ହୃଦୟରେ ସଂଗୀତକାର ଅକ୍ଷୟ ମହାନ୍ତି,କଳା, ସାହିତ୍ୟ ଓ ସ୍ୱାଭିମାନର ପ୍ରତୀକ ଖୋକା ଭାଇ

303

ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହସ୍ତି ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଆଜି ଜନ୍ମ ଜୟନ୍ତିା ଓଡିଆ ସିନେ ଜଗତର କିମ୍ବଦନ୍ତୀ ପୁରୁଷ ଭାବେ ଜଣା ଯାଉଥିବା ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତକୁ ନୂଆ ପରିଚୟ ପ୍ରଦାନ କରିଥିଲେ । ସ୍ରୋତାଙ୍କ ରୁଚିକୁ ବୁଝି ଅନେକ ମନଛୁଁଆ ଗୀତ ଭେଟି ଦେଇଛନ୍ତି ସ୍ୱର୍ଗତ ମହାନ୍ତି । ସଙ୍ଗୀତ ସଂଯୋଜନା ହେଉ କି, ଗୀତ ରଚନା ଅବା କଣ୍ଠଦାନ ସବୁଥିରେ ଥିଲେ ସେ ପ୍ରବୀଣ । ସେ କଥା କହିଲେ ଲେଖି ହୋଇଯାଏ ଗୀତ ଆଉ ସେ ଗୀତ ଗାଇଲେ ଅମର ହୋଇଯାଏ ଶବ୍ଦ । ସଂଗୀତର ସେ କାଳଯୟୀ ଶ୍ରଷ୍ଟା । ଅକ୍ଷୟ ମହାନ୍ତି । ଖୋକା ଭାଇ । ଆର୍ଯ୍ୟ ଦାସ । ପ୍ରତିଟି ଓଡିଆ ମୁହଁରେ ଖୋକା ଭାଇଙ୍କର ଗୀତ । କାରଣ ତାଙ୍କ ଗୀତର ଫଗୁଣ କେବେ ଯାଇନି । କେବେ ରଙ୍ଗ ହରାଇନି ତାଙ୍କ ସଂଗୀତର କୃଷ୍ଣଚୂଡା । ଏବେ ବି ଉଜାଣି ବହୁଛି ପୂଣ୍ୟର ତୀରେ । ଅକ୍ଷୟଙ୍କୁ ନେଇ ଅମର ହୋଇଯାଇଛି ଓଡିଆ ସିନେମାର ଅନେକ ଗୀତ ପୃଷ୍ଠା । ଗୀତିମୟ, ସୃତିମୟ ଏବଂ ସ୍ମୃତିମୟ ତାଙ୍କର ପ୍ରତିଟି ସଂଗୀତର ସୃଷ୍ଟି । କଂଠଶିଳ୍ପୀ, ସଂଗୀତଜ୍ଞ, ଅଭିନେତା ସହିତ ସୃଜନଶୀଳତାର ପ୍ରମାଣ ଦେଇଛନ୍ତି ଅକ୍ଷୟ ମହାନ୍ତି । ଓଡିଶାର ସେହି ସଫଳ ଗୀତ ପୁରୁଷଙ୍କର, ବିଚିତ୍ରବର୍ଣ୍ଣାର ବାଦଶାହଙ୍କର ଆଜି ଜନ୍ମଦିନ । କଂଠଶିଳ୍ପୀ, ସଂଗୀତଜ୍ଞ, ଅଭିନେତା ସହିତ ସୃଜନଶୀଳତାର ପ୍ରମାଣ ଦେଇଛନ୍ତି ଅକ୍ଷୟ ମହାନ୍ତି । ଓଡିଶାର ସେହି ସଫଳ ଗୀତ ପୁରୁଷଙ୍କର, ବିଚିତ୍ରବର୍ଣ୍ଣାର ବାଦଶାହଙ୍କର ଆଜି ଜନ୍ମଦିନ ।

      ।। ଛାତିର କେଉଁ ଅଦେଖା କୋଣେ ଲାଗିଛି ଟିକେ ନିଆଁ
        ଗାଇବା ପାଇଁ ଖୋଲିଲେ ମୁହଁ ବାହାରେ ଖାଲି ଆହା
        ତୁମେ ଯେ ଦାଗ ଦେଇଛ ମୋତେ ମୁହଁରେ ଥିଲେ ମୋର
        ନିଅନ୍ତା ଧୋଇ ସହଜେ ମୋର ନୟନ ଲୁହ ଧାର
       ପାରେନା ଧୋଇ ଜେଣୁ ସେ ଦାଗ ଛାତିର ତଳେ ଧୁଆ
        ଖୋଲିଲେ ଛାତି ଦେଖିବ ଆଜି ଲେଖା ତ ଥିବ ଆହା ।।

ତାଙ୍କ ସମୟ ଥିଲା ଓଡିଆ ସଂଗୀତର ଫଗୁଣ । ସେ ଫଗୁଣର ଏ ଫୁଲରୁ ସେ ଫୁଲକୁ ଉଡି ବୁଲୁଥିବା ଭଅଁର ଥିଲେ ସେ । ସଂଗୀତର ବିଭିନ୍ନ ବିଭାଗରେ ସେ ଛାଡିଥିଲେ ନିଜର ଭିନ୍ନଭିନ୍ନ ବିଭବ । ୧୯୩୭ ମସିହା ଅକ୍ଟୋବର ମାସ ୧୨ ତାରିଖ ମହାଳୟା, କିଏ ଜାଣିଥିଲା ସେଦିନ ଓଡିଶା ଆକାଶରେ ଉଙ୍କିମାରିଥିଲା ଏକ ଧୃବତାରା । କିଏ ଜାଣିଥିଲେ ବାଙ୍କି ମୁଣ୍ଡେଇରେ ଉଦୟ ସେହି ଧୃବତାରା ଦିନେ ସମଗ୍ର ଓଡିଶା ଆକାଶକୁ ତାର ଝିଲିମିଲି ଆଲୋକରେ ଚମକାଇଦେବ । ତାର ସ୍ଥିତି ଦ୍ୱାରା ଜାରି କରିବ ପରବର୍ତି ପୀଢିମାନଙ୍କ ଲାଗି ଏକ ମାନକ ।

ମାଆ ପିଲାଟିର ନାଁ ଦେଇଥିଲେ ଅକ୍ଷୟ । ହେଲେ ବଡହେବା ପରେ ସାରା ଓଡିଶା ଓ ଓଡିଶା ବାହାରକୁ ବ୍ୟାପିଗଲା ତାର ଅକ୍ଷୟକୀର୍ତି । ଓଡିଶାର ୪ କୋଟିରୁ ଅଧିକ ଓଡିଆଙ୍କ ଲାଗି ସେ ଥିଲେ ଆଦରର ଖୋକାଭାଇ । ଖୋକାଭାଇଙ୍କ ହୃଦୟ ଥିଲା ଅନେକଙ୍କ ଲାଗି ପାନ୍ଥଶାଳା । ସମସ୍ତଙ୍କ ପ୍ରେମ ଥିଲା ମଧୁସାଳା । ସେ ଥିଲେ ଯାଜାବର । ପିଲାଦିନୁ ଅକ୍ଷୟ ଥିଲେ ସୃଜନ ମନସ୍କ । ସେ ଗୀତ, ସଂଗୀତ ହେଉ, ଅଭିନୟ କିମ୍ବା ସାହିତ୍ୟ ସବୁଥିଲେ ଥିଲା ତାଙ୍କର ସଫଳ ସ୍ୱାକ୍ଷର । ସଂଗୀତରେ ତାଙ୍କ କୌଣସି ଆନୁଷ୍ଠାନିକ ଶିକ୍ଷା ନଥିଲା । ତଥାପି ଦେଢହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । କେବଳ ଗୀତ ଗାଇନାହାନ୍ତି, ସଂଗୀତ ସଂଯୋଜନା, ଅଭିନୟ, ଲେଖାଲେଖି ବିଭିନ୍ନ ବିଦ୍ୟାରେ ସେ ଥିଲେ ନମ୍ବର ୱାନ ।

ଚାହା ମାଗିଗଲେ ଚିନି ନାହିଁ ଆଉ ପାନ ମାଗିଗଲେ ଗୁଆ ନାହିଁ ପଇସା ମାଗିଲେ ଖୁଚୁରା ନାହିଁ କହୁଛି ମୁଁ ସତ ଖୁଚୁରା ନାହିଁ । ତାଙ୍କର ପ୍ରତ୍ୟେକ ଗୀତରେ ଥିଲା ବାସ୍ତବତାର ବର୍ଣ୍ଣନା । ତେଣୁ ପ୍ରତ୍ୟେକଟି ଓଡିଆ ସେହି ଗୀତ ସହିତ ନିଜକୁ ରିଲେଟ କରିପାରୁଥିଲା । ସେଥିପାଇଁ ସମୟ ବଦଳିଥିଲେ ବି ଖୋକାଭାଇ ସମସ୍ତଙ୍କ ମନରେ ଅଦେଖା ଚଇତି ଛୁଆଁ ହୋଇ ରହିଛନ୍ତି । ସ୍ମୃତି ତୁମେ ପାଉଁଶ ତଳର ନିଆଁ ସ୍ମୃତି ତୁମେ ଅଦେଖା ଚଇତି ଛୁଆଁ । ଅନେକଙ୍କ ପାଇଁ ଆଜି ବି ଖୋକାଭାଇଙ୍କ ସ୍ମୃତି ପାଉଁଶ ତଳର ନିଆଁ ଭଳି ଉଶୁମ ଆଉ ସତେଜ । ଯେଉଁମାନେ ତାଙ୍କୁ ଜାଣନ୍ତି,ତାଙ୍କ ଗୀତକୁ ଭଲ ପାଆନ୍ତି ସେମାନେ ଗୋଟିଏ ଧାଡିରେ କୁହନ୍ତି ଯେ, ଅକ୍ଷୟ ଅର୍ଥାତ ଅ ଠାରୁ କ୍ଷ ପର୍ଯ୍ୟନ୍ତ ଜାଣିଥିବା ଚରିତ୍ର ଆଉ ମହାନ ବଲି ମହାନ୍ତି ।

ଅନେକ କୁହନ୍ତି ଅକ୍ଷୟ ମହାନ୍ତିଙ୍କ ପୂର୍ବରୁ ଓଡିଆ ଗୀତରେ ଗୋଟେ ଧିମାପଣ ଥିଲା । ବଙ୍ଗୀୟ ଛାଂଚ କୁହନ୍ତୁ କିମ୍ବା ହିନ୍ଦୁସ୍ଥାନୀ ଗାୟନ ପଦ୍ଧତିର ବ୍ୟବହାର ଓଡିଆ ଗୀତରେ ଅଧିକ ହେଉଥିଲା । କିନ୍ତୁ ଖାଂଟି ଓଡିଆ ଅକ୍ଷୟ ମହାନ୍ତି ସେହି ପରମ୍ପରାରୁ ଓଡିଆ ଗୀତକୁ ମୁକ୍ତକଲେ । ଗୀତରେ ନିରଳା ଓଡିଆ ପଣ ଓ ଶୈଳୀକୁ ଭରିଦେଲେ । ସାଧାରଣ ଓଡିଆ ଘରେ ବ୍ୟବହାର ହେଉଥିବା ଶବ୍ଦ ଓ ରୁଢିକୁ ଓଡିଆ ଗୀତରେ ଭର୍ତିକଲେ ଅକ୍ଷୟ ମହାନ୍ତି । ସେ ଥିଲେ ବି ଖାଂଟି କଟକିଆ । କଚକ ଲାଗି ସେ ଥିଲେ ପାଗଳ ।

ସେ ବଢିଥିଲେ କଟକର ଅଣଓସାରିଆ ଗଳିରେ, କାଠଯୋଡି ମହାନଦୀର ବାଲିରେ । ଆଉ ବୋଧହୁଏ ସେଇଥି ପାଇଁ କଟକ ଭରିରହିଥିଲା ତାଙ୍କର ଗୀତ, ଗୀତ ସାହିତ୍ୟ ସବୁଥିରେ । କଟକର ତିନି କୋଣିଆ ବଗିଚାରୁ କଟକ କାଠଯୋଡି, କଟକର ରିକ୍ସାରୁ କଟକର ଗୁଡି ସବୁଥିଲା ତାଙ୍କ ଗୀତରେ । ସଂଗୀତ ସମ୍ରାଟ, ବିଚିତ୍ର ବର୍ଣ୍ଣାର ବାଦଶାହ ଅକ୍ଷୟ ମହାନ୍ତି ଫୁଟବଲ ଖେଳାଳୀ ହେବାକୁ ଚାହୁଁଥିଲେ । ୨୧ ଜଣିଆ ଟିମରେ ସିଲେକ୍ଟ ହେବା ପରେ ଚୂଡାନ୍ତ ଚୟନ ପାଇଁ ଯାଇଥିବାବେଳେ ଗୋଡରେ ଯୋତା ନଥିବାରୁ ଅପଦସ୍ତ ହେବାକୁ ପଡିିଲା । ଆଉ ଦୁଃଖରେ ବ୍ୟତିବ୍ୟସ୍ତ ହୋଇ ବଡଭଉଣୀଙ୍କ ହାରମୋନିୟମ ଧରି ବସି ପଡିଲେ । ଆୱାରା ହୁଁ ଗୀତକୁ ହାରମୋନିୟମରେ ସଜଉ ସଜଉ ପରବର୍ତୀ ପୀଢି ପାଇଁ ପୁରା ଓଡିଆ ସଂଗୀତର ଢାଂଚାକୁ ସଜାଇ ବସିଲେ ଅକ୍ଷୟ ମହାନ୍ତି ।

୧୯୫୬ରେ ଅକ୍ଷୟ ମହାନ୍ତି ଆରମ୍ଭ କରିଥିଲେ ସରକାରୀ ଚାକିରି । ହେଲେ ଏହାକୁ ନେଇ ଲେଖିଥିଲେ ୧୦ରେ କାର୍ଯ୍ୟାଳୟ ୪ଟା ବେଳେ ଭାର୍ଯ୍ୟାଳୟ ଜୀବନଟା ହୋଇଗଲା ସୁଲଭ ସୌଚାଳୟ । ଆଉ ଏଭଳି ମନୋଭାବ ଲାଗି ମାତ୍ର ୭ ବର୍ଷ ପରେ ସେ ଚାକିରି ଛାଡିଥିଲେ । ଅକ୍ଷୟ ତାଙ୍କ ସାକ୍ଷାତକାରରରେ ଅନେକଥର କହିଛନ୍ତି ଯେ, ଗୀତ ପାଇଁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା । ୬୦ ଦଶରେ ସେ ମା କଥାଚିତ୍ରରେ ଆରମ୍ଭ କରିଥିଲେ କଂଠଦାନ । ସେହିଠୁ ଓଡିଆ ସିନେ ସଂଗୀତ ନେତା ନୂଆମୋଡ । ୧୨୯ଟି ସିନେମାରେ ଛାଡିଗଲେ ନିଜ କଂଠର ସ୍ୱାକ୍ଷର । ୭୫ଟି ସିନେମା ଲାଗି କରିଛନ୍ତି ସଂଗୀତ ସଂଯୋଜନା ।