ଲଦାଖ ସୀମାରୁ ହଟିଲେ ଚୀନ୍ ସେନା । ଏଲଏସିଠୁ ଦେଢ କିଲୋମିଟର ପଛକୁ ଯାଇଥିବା ନେଇ ସୂଚନା । ପୁରା ଘଟଣା ଉପରେ ଏନଏସଏ ଡୋଭାଲଙ୍କ ନଜର । ଆଜି ଦୁଇ ପାକ୍ଷିକ କୂଟନୈତିକ ସ୍ତରୀୟ ବୈଠକ

259

କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରୁ ଚୀନ ସେନା ପଛକୁ ଦୁଇ କିଲୋମିଟର ହଟିବା ପ୍ରକ୍ରିୟାର ସମୀକ୍ଷା ସହ ସରକାରଙ୍କର ପରବର୍ତୀ ପଦକ୍ଷେପ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହାର ନେତୃତ୍ୱ ନେଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗତ ରବିବାର ଡୋଭାଲ ଚୀନ ବିଦେଶୀ ମନ୍ତ୍ରୀ ୱାଙ୍ଗ ୱିଙ୍କଙ୍କ ସହ ଆଲୋଚନା ପରେ ତିନିଟି ସ୍ଥାନରୁ ଚୀନୀ ସେନା ପଛକୁ ହଟିଛନ୍ତି । ଏନେଇ ଗତକାଲି ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଗଲୱାନ ଉପତ୍ୟକାର ୧୪ ନମ୍ବର ପାଟ୍ରୋଲିଂ ପଏଂଟ, ଉଷ୍ଣ ପ୍ରସ୍ରବଣ ଇଲାକାର ୧୫ ନମ୍ବର ପାଟ୍ରୋଲିଂ ପଏଂଟ ଓ ଗୋଗ୍ରାର ୧୭ ନମ୍ବର ପାଟ୍ରୋଲିଂ ପଏଂଟଠାରୁ ଚୀନୀ ସେନା ପ୍ରାୟ ଦେଢ କିଲୋମିଟର ପଛକୁ ହଟିଛି । ଅନ୍ୟପଟେ ଲଦାଖ ସୀମା ସମେତ ଅରୁଣାଚଳ ସୀମାରୁ ମଧ୍ୟ ଚୀନୀ ସେନା ପଛକୁ ହଟିବା ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ କ୍ୟାବନେଟ ସଚିବ ରାଜୀବ ଗୌବା, ପ୍ରତିରକ୍ଷା , ବିଦେଶ ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସମେତ କିଛି ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ଚୀନ ଓ ଭାରତ ସୀମାରେ ସୃଷ୍ଟି ହୋଇଥିବା ଉତେଜନା ହ୍ରାସ ପ୍ରକ୍ରିୟା ନେଇ ପରବର୍ତୀ ବୈଠକ ଆଜି ଦୁଇ ଦେଶର କୂଟନୈତିକ ସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନୀ ବିଦେଶୀ ବିଭାଗର ବରିଷ୍ଠ ଅଧିକାରୀ ଉ ଜିଆଘାଓ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ ମାସ ୨୪ ତାରିଖରେ ଏହି କୂଟନୈତିକ ସ୍ତରୀୟ ବୈଠକ ପରେ ଉତେଜନା ହ୍ରାସ ପାଇଁ ପଦକ୍ଷେପ ନେବାକୁ ଦୁଇ ଦେଶ ରାଜି ହୋଇଥିଲେ । ତେବେ ଆଜିର ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପାରନ୍ତି ବୋଲି କୁହାଯାଉଛି ।