କନକ ବ୍ୟୁରୋ : ଗତ କିଛିଦିନ ହେଲା ବାୟୁ ପ୍ରଦୂଷଣରେ ଅଣନିଃଶ୍ବାସୀ ହୋଇପଡ଼ିଥିବା ରାଜଧାନୀବାସୀଙ୍କୁ ଏଥିରୁ ତ୍ରାହି ମିଳିଛି । ସପ୍ତାହଯାକ ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୦୦ରୁ ଅଧିକ ରହିବା ପରେ ଆଜି ଏହା ୭୬କୁ କମିଛି । ହଠାତ୍ ରାଜଧାନୀର ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ପଛରେ ସରକାରଙ୍କର କି କୌଣସି ଘରୋଇ ସଂସ୍ଥାର ହାତ ନାହିଁ । ରାଜଧାନୀର ବାୟୁ ପ୍ରଦୂଷଣକୁ ବାତ୍ୟା ବୁଲ୍ବୁଲ୍ କମାଇ ଦେଇଛି । ବୁଲ୍ବୁଲ୍ ପ୍ରଭାବରେ ରାଜଧାନୀରେ ଶୁକ୍ରବାର ରାତିରେ ହୋଇଥିବା ମାତ୍ର ୪ମିମି ବର୍ଷା ପ୍ରଭାବରେ ଭୁବନେଶ୍ବରର ଏକ୍ୟୁଆଇ ୭୬କୁ ଖସି ଯାଇଛି ।
ରାଜଧାନୀରେ ପ୍ରଦୂଷଣ ଯେଉଁଭଳି ବଢ଼ି ଚାଲିଛି, ତାହାକୁ ଯେ କେବଳ ଅଦିନିଆ ବର୍ଷା ସାହା ତାହା ପ୍ରମାଣିତ ହୋଇଯାଇଛି । ଅଦିନିଆ ବର୍ଷାରେ ରାଜଧାନୀ ଉପକଣ୍ଠରେ ଲୋକଙ୍କ କ୍ଷେତ ସିନା ଉଜୁଡ଼ି ଯାଉଛି, ହେଲେ ରାଜଧାନୀ ଭିତରେ ଲୋକଙ୍କୁ ବାୟୁ ପ୍ରଦୂଷଣ ଦାଉରୁ ଉଦ୍ଧାର ମିଳି ଯାଉଛି । ଏ ଅଦିନିଆ ବର୍ଷା ଏବେ ରାଜଧାନୀ ଉପକଣ୍ଠ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିବାକୁ ବସିଲାଣି ।
ବର୍ଷା ଯୋଗୁଁ ବାୟୁ ପ୍ରଦୂଷଣ ମାତ୍ରା ଖସିବା ପରେ ପରିବେଶବିତ୍ ବିଜୟ ମିଶ୍ର କହିଛନ୍ତି ଯେ ରାଜଧାନୀର ଅବସ୍ଥା ଯାହା ହେଲାଣି ତାକୁ କେବଳ ଅଦିନିଆ ବର୍ଷା ଭରସା । ମଝିରେ ମଝିରେ ଅସରାଏ ଲେଖାଏ ବର୍ଷା ହେଲେ ହିଁ ରାଜଧାନୀବାସୀ ସୁସ୍ଥ ରହିବେ । ନଚେତ୍ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେବେ । ରାଜଧାନୀରେ ବାୟୁ ପ୍ରଦୂଷଣ କମାଇବା ପାଇଁ ରାଜ୍ୟ ସରକାରଙ୍କୁ କୃତ୍ରିମ ବର୍ଷା ଭଳି ବ୍ୟବସ୍ଥା କରିବାକୁ ହେବ । ଉପରୁ ପାଣି ସ୍ପ୍ରେ’ କଲେ ହିଁ ଧୂଳିକଣା ତଳେ ପଡ଼ିବ। ନଚେତ୍ ଏମିତି ଲୋକ ଅଣନିଃଶ୍ବାସୀ ହେଉଥିବେ ।
ରାଜଧାନୀରେ ବାୟୁ ପ୍ରଦୂଷଣ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଧାନସଭାର ପରିବେଶ ସଂକ୍ରାନ୍ତ ଗୃହ କମିଟି ବୈଠକରେ ହଟ୍ଟଗୋଳ ହୋଇଥିଲା । କମିଟି ସଦସ୍ୟମାନେ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନଙ୍କୁ ଘେରିଥିଲେ । ଏହା ପରେ ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଥିଲେ ଯେ ଯାହା ତଥ୍ୟ ସବୁ ବାହାରିଛି ସବୁ ଭୁଲ୍ । ଆମେ ଯାହା କହୁଛୁ ଠିକ୍ । ଅପରପକ୍ଷେ ସରକାରଙ୍କ ଦୁଇଟି ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷଙ୍କ ପ୍ରଦୂଷଣ ମାପ ଜନିତ ତଥ୍ୟରେ ବି ତାଳମେଳ ରହୁନି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଆଜି ୟୁନିଟ-୮ରେ ଏକ୍ୟୁଆଇ ୧୦୧ଥିଲା, ଯାହା ଚଳନୀୟ । ହେଲେ ବିଏସ୍ସିଏଲ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଛକରେ ଲାଗିଥିବା ବୋର୍ଡରେ ୟୁନିଟ-୮ ଡିଏଭି ଛକରେ ଏକ୍ୟୁଆଇ ୮୮ ଥିଲା । ଏହାକୁ ସନ୍ତୋଷଜନକ ବୋଲି କୁହାଯାଇଛି । ଗୋଟିଏ ସ୍ଥାନରେ ଦୁଇଟି ସରକାରୀ ସଂସ୍ଥା ଦୁଇ ପ୍ରକାରର ତଥ୍ୟ ଦେଉଥିବା ବେଳେ ସେମାନେ କେଉଁ ବିଶ୍ବାସରେ ନିଜ ତଥ୍ୟ ଠିକ୍ କହୁଛନ୍ତି, ତାହା ଜଣାପଡ଼ୁନି ।