ବ୍ୟାଙ୍କରୁ ଠକେଇ, ପଛରେ ବାବୁ । ପୁଣି ପିଏନବିରୁ ଆସିଲା ଠକେଇ ଅଭିଯୋଗ । ୩୨ କୋଟିର ଠକେଇ ମାମଲାରେ ସିବିଆଇର ଛାନଭିନ୍ । ବ୍ୟାଙ୍କ୍ ପଦାଧିକାରୀ ସହଯୋଗ ଥିବା ଅଭିଯୋଗ ।

262

କନକ ବ୍ୟୁରୋ : ପିଏନବିକୁ ଠକିଦେଲେ ୩୨ କୋଟି । ବ୍ୟାଙ୍କ କର୍ମଚାରୀଙ୍କୁ ଆୟୁଧ କରି ଭୁବନେଶ୍ୱର ଲୁଇସ ରୋଡର ଏକ ସଂସ୍ଥା ବ୍ୟାଙ୍କକୁ ଚୁନା ଲଗାଇଛି । ଅଭିଯୋଗ ପରେ କୋଲକତା, ବିଶାଖପାଟଣା ସମେତ ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଛି ସିବିଆଇ । ସଂସ୍ଥା ମୁଖ୍ୟ ଓ ବ୍ୟାଙ୍କ ମହାପ୍ରବନ୍ଧକଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ଭୁବନେଶ୍ୱର ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କର ଷ୍ଟେସନ ସ୍କୋୟାର ଶାଖାରେ ଏହି ଠକୋଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ୨୦୧୦ରୁ ୨୦୧୫ ମସିହା ମଧ୍ୟରେ ଲୁଇସରୋଡସ୍ଥିତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ନାମକ ଏକ କମ୍ପାନୀଙ୍କୁ ଲାଭ ପହଂଚାଇବା ପାଇଁ ହୋଇଥିଲା ଷଡଯନ୍ତ୍ର । ଏହାରି ପଛରେ ଥିଲେ ବ୍ୟାଙ୍କର କିଛି ବରିଷ୍ଠ କର୍ମଚାରୀ । ଏମାନଙ୍କ ସହଯୋଗରେ ୩୨ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଗତ ଜୁନ୍ ୫ ତାରିଖରେ ସିବିଆଇ ଏସପିଙ୍କ ଆଗରେ ଅଭିଯୋଗ କରିଛନ୍ତି ପିଏନବିର ସର୍କଲ ମୁଖ୍ୟ ଗଣପତ ଲାଲ ।

ପଞ୍ଜାନ ନ୍ୟାସନାଲ ବ୍ୟାଙ୍କରୁ ୩୨ କୋଟି ଟଙ୍କା ଠକେଇ ମାମଲାରେ  ସିବିଆଇ ପଚରାଉଚରା ଆରମ୍ଭ  କରିଛି । ଗୁରୁବାର ବ୍ୟାଙ୍କର କିଛି ଉଚ୍ଚ ପଦାଧିକାରୀ ଓ  ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ଅଧିକାରୀଙ୍କୁ  ଭୁବନେଶ୍ୱର ସିବିଆଇ ଅଫିସରେ କରିଛି ଜେରା । ଆବଶ୍ୟକ ପଡିଲେ  କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା ଅଛି ବୋଲି କୁହାଯାଉଛି । କ୍ୟାସ କ୍ରେଡିଟ, ବିଲ ଡିସକାଂଉଟିଂ, ଲେଟର ଅଫ୍ କ୍ରେଡିଟ ଜରିଆରେ ଏହି ଠକେଇ ହୋଇଛି । ଏଥିପାଇଁ ପିଏନ୍ବିକୁ  ୩୧କୋଟି ୯୨ଲକ୍ଷ ୬୮ହଜାର ୯୦୬ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।  ସେତେବେଳେ ବ୍ୟାଙ୍କର ପଦାଧିକାରୀ  ନିଜ ପଦର ଅପବ୍ୟବହାର କରି ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନକୁ ଠକେଇ କରିବାରେ ସହାୟତା କରିଥିଲେ ।

ଲୁଇସ ରୋଡରୁ ବ୍ୟବସାୟ  ପରିଚାଳନା କରୁଥିବା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ  ଲୁହାପଥର ରପ୍ତାନି ଓ ଅନ୍ୟ କାରବାର ସହ ଜଡିତ ଥିଲା । ଏହା ଦେଶ ଭିତରେ  ଓ ବିଦେଶକୁ  ଲୁହାପଥର ରପ୍ତାନି କରିଥାଏ । ସିଙ୍ଗାପୁରର ଏକ କମ୍ପାନୀ ସହ  ବ୍ୟବସାୟିକ ସମ୍ପର୍କ ସ୍ଥାପନ ହେବା ପରେ ସେଠାରୁ  ଫରେନ ଲେଡର ଅଫ କ୍ରେଡିଟ  ହାସଲ କରିଥିଲା ।  ଏହି ଲେଟର ଜରିଆରେ  ପିଏନ୍ବିର ଷ୍ଟେସନ ସ୍କେୟାର ଶାଖାରୁ ଠକେଇ କରାଯାଇଥିବା ଜଣାପଡିଛି ।