ଖୋଲିଲା ମାର୍କେଟ୍‌ ବିଲ୍‌ଡିଂ । ଆଜି ଅଳ୍ପ, କାଲିଠୁ ଖୋଲିବ ସବୁ ଦୋକାନ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ । ରଦ୍ଦ ହେବ ଟ୍ରେଡ୍‌ ଲାଇସେନ୍ସ

274

କନକ ବ୍ୟୁରୋ : ରଜ ବଜାର ପାଇଁ ମାର୍କେଟ୍‌ ବିଲଡିଂ ଖଚାଖଚ୍ ଭିଡ଼ ଥିବା ବେଳେ ଜୁନ୍‌ ୧୩ ତାରିଖ ଅପରାହ୍‌ଣରେ ବିଏମ୍‌ସି ୟୁନିଟ୍‌-୨ସ୍ଥିତ ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ କରିଥିଲା । ଦୋକାନରେ ସାମାଜିକ ଦୂରତା ନ ଥିବାରୁ ଏବଂ ଲୋକ ବିନା ମାସ୍କରେ ବୁଲୁଥିବାରୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର ଅଂଶୁମାନ ରଥ ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ କରିଥିଲେ। ଏହାପରେ ଦୁଇଦିନ ସଟ୍‌ଡାଉନ୍‌ ରହିବାରୁ ସବୁ ଦୋକାନ ବଜାର ବନ୍ଦ ରହିଥିଲା। କିନ୍ତୁ ବ୍ୟବୟସାୟୀମାନେ ଏସ୍‌ଓପି ମାନିବେ ବୋଲି ଅଣ୍ଡରଟେକିଂ ଦେବା ପରେ ଆଜିଠାରୁ ମାର୍କେଟ୍‌ ବିଲ୍‌ଡିଂ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।

ଆଜି ମଧ୍ୟାହ୍ନ ୧୨ଟା ପରେ ଦୋକାନ ଖୋଲିବାକୁ ଅନୁମତି ଦେବାରୁ ଅଳ୍ପ କିଛି ଦୋକାନ ଖୋଲିଥିଲା। ହେଲେ ବୁଧବାରଠାରୁ ସବୁ ଦୋକାନ ଖୋଲିବ ବୋଲି ସେଣ୍ଟ୍ରାଲ ମା‌ର୍କେଟ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମାର୍କେଟ୍‌ ବିଲ୍‌ଡିଂ ସିଲ୍‌ ହେବା ପରେ ସେଠାକର ‌ଦୁଇଟି ଆସୋସିଏସନ୍‌ ସୋମବାର କମିସନରଙ୍କ ସହ ଆଲୋଚନା କରିଥିଲେ। କିପରି ସେମାନେ ବିଏମ୍‌ସି ଏସ୍‌ଓପି ମାନିବେ, ଗ୍ରାହକଙ୍କୁ କିପରି ସାମାଜିକ ଦୂରତା ରକ୍ଷା କରିବାକୁ କହିବେ, ହାତ ଧୋଇବେ ଓ ସାନିଟାଇଜର୍‌ ରଖିବେ, ବିନା ମାସ୍କ‌ରେ ଆସିଥିବା ଲୋକଙ୍କୁ ଦୋକାନକୁ ପୂରାଇବେନି ସେନେଇ କୁହାଯାଇଥିଲା। ଏହାସହ ସାମାଜିକ ଦୂରତା ନରହିଲେ, ବିଏମ୍‌ସି ଦୋକାନ ସିଲ୍‌ କରିପାରିବ ବୋଲି ଅଣ୍ଡରଟେକିଂ ଦେବାକୁ କୁହାଯାଇଥିଲା। ଏହାପରେ ସେମାନେ ଆଜି ଅଣ୍ଡରଟେକିଂ ଦେଇଛନ୍ତି। ଯେଉଁମାନେ ଅଣ୍ଡରଟେକିଂ ଦେଇଛନ୍ତି, ସେମାନଙ୍କୁ ଦୋକାନ ଖୋଲିବାକୁ କୁହାଯାଇଛି। ଏହାବାଦ୍ ଆସୋସିଏସନ୍‌କୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

ବିଏମ୍‌ସି ହଠାତ୍‌ ସବୁ ଦୋକାନ ବଜାର ବନ୍ଦ କରିଦେବା ନେଇ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ ରଜ ବଜାର ପାଇଁ ଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ ଏବେ ସେମିତି ଆଉ ଭିଡ଼ ହେବନି। ସାଧାରଣତଃ ଆମର ଅକ୍ଟୋବରରୁ ଜାନୁଆରି ଏବଂ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ବ୍ୟବସାୟ ହୋଇଥାଏ। ଏବେ ବ୍ୟବସାୟ ହେବା ସମୟରେ ବିଏମ୍‌ସି ଶନିବାର ଓ ରବିବାର କଟକଣା ଲଗାଇବା ସହ ପ୍ରତିଦିନ ସଂଧ୍ୟା ୬ଟା ୩୦ରୁ ଦୋକାନ ବନ୍ଦ କରିଦେଉଛି। ତେଣୁ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଲାଣି। ବିଏମ୍‌ସି ଏବେ ଦୋକାନ ବଜାର ସିଲ୍‌ ଅପେକ୍ଷା କିପରି ଲୋକ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବେ ସେନେଇ ସଚେତନ କରୁ। ଅପରପକ୍ଷେ ଆଜି ବିଏମ୍‌ସିରେ ଅଣ୍ଡରଟେକିଂ ଦେଇ ଜନପଥରେ ଥିବା ଅମ୍ବର ସୋ’ରୁମ୍‌ ଏବଂ କଳ୍ପନା ଛକ ନିକଟରେ ଥିବା ମା’ ତାରିଣୀ ବସ୍ତ୍ରାଳୟକୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଆଜି ଏହି ଦୁଇଟି ଦୋକାନ ମଧ୍ୟ ଖୋଲିଥିଲା। ସେହିପରି ଯେଉଁ ହୋଟେଲ ଓ ଜଳଖିଆ ଦୋକାନଗୁଡ଼ିକୁ ସିଲ୍‌ କରାଯାଇଛି, ସେମାନେ କେବଳ ପାର୍ସଲ ଦେବେ ଏବଂ ଦୋକାନରେ ସାମାଜିକ ଦୂରତା ରଖିବେ ବୋଲି ଅଣ୍ଡରଟେକିଂ ଦେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଦୋକାନ ଖୋଲିବା ପରେ ଯଦି କେହି ବିଏମ୍‌ସି ଏସ୍‌ଓପି ନମାନିବେ, ସେମାନଙ୍କର ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ ବୋଲି କୁହାଯାଇଛି।