ୟୁପି-ଉତରାଖଣ୍ଡରେ ମୋଦି ମ୍ୟାଜିକ ପରେ ବିଜେପି ନଜରରେ ଗୋଆ ଓ ମଣିପୁର !

41

କନକ ବ୍ୟୁରୋ : ଗୋଆରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ମୋଟ ୪୦ଆସନ ମଧ୍ୟକୁ କଂଗ୍ରେସ ୧୭ ଓ ବିଜେପି ୧୩ଆସନ ପାଇଛନ୍ତି । ତେଣୁ ସରକାର ଗଠନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ଗୋଆର କଂଗ୍ରେସ ପ୍ରଭାରୀ ଦିଗବିଜୟ ସିଂହ କହିଛନ୍ତି, ଗୋଆରେ ସବୁଠୁ ବଡ ପାର୍ଟି ଭାବେ କଂଗ୍ରେସ ଉଭା ହୋଇ ସରକାର ଗଢିବାକୁ ଯାଉଛି । ଦଳ ପାଖରେ ୧୭ ଆସନ ରହିଛି, କଂଗ୍ରେସ ସମର୍ଥିତ ତିନି ପ୍ରାର୍ଥୀଙ୍କ ବିଜୟ ହୋଇଛି ଓ ଜଣେ ସ୍ୱାଧିନ ବିଧାୟକ ମଧ୍ୟ କଂଗ୍ରେସକୁ ସମର୍ଥନ ଦେଉଛନ୍ତି ।

ଏହାଛଡା ଏନସିପି ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ତେଣୁ ଆସନ୍ତାକାଲି ସରକାର ଗଠନ ପାଇଁ ସେ ରାଜ୍ୟପାଳଙ୍କୁ ଭେଟିବେ ବୋଲି କହିଛନ୍ତି ଦିଗ ବିଜୟ ସିଂହ । ଅନ୍ୟପଟେ ଗୋଆ ରାଜନୀତିରେ ଏକ ଚକିତ କଲା ଭଳି ଘଟଣା ଘଟିଛି । ମାତ୍ର ୧୩ ଆସନ ଥିବା ସତ୍ୱେ ଗୋଆରେ ବିଜେପି ସରକାର ଗଢିବ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ଅନ୍ୟପଟେ ବିଜେପି ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିବାକୁ ଆଜି ଗୋଆ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସେପଟେ ଏନଜିପି ଓ ଗୋଆ ଫରୱାର୍ଡ ମନୋହର ପାରିକରଙ୍କୁ ମୁଖ୍ୟମନ୍ତ୍ରୀ କଲେ ବିଜେପିକୁ ସମର୍ଥନ ଦେବେ ବୋଲି ସଙ୍କେତ ଦେଇଛନ୍ତି । କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିବା ବେଳେ ଗୋଆରେ ସରକାର ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀମୂଳକ ରାଜନୀତି ରୋଚକ ହୋଇପଡିଛି ।