ଆମେରିକାରେ ଉତ୍କଟ ହେଲା ବର୍ଣ୍ଣ ବୈଷମ୍ୟ ଘୃଣା ! ୱାଶିଂଟନରେ ଜଣେ ଭାରତୀୟଙ୍କୁ ଘର ସମୁଖରେ ଆକ୍ରମଣ

40

କନକ ବ୍ୟୁରୋ : ଉତ୍କଟ ହେଲା ବର୍ଣ୍ଣ ବୈଷମ୍ୟ ଘୃଣା । ୱାଶିଂଟନରେ ଜଣେ ଭାରତୀୟଙ୍କୁ ତାଙ୍କ ଘର ସମୁଖରେ ଆକ୍ରମଣ କରାଯାଇଛି । ଦେଶ ଛାଡି ଚାଲିଯିବାକୁ କହି ଗୁଳିମାଡ କରିଛି ଅଜ୍ଞାତ ଆକ୍ରମଣକାରୀ । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ ୩୯ବର୍ଷୀୟ ଭାରତୀୟଙ୍କୁ ଆକ୍ରମଣକାରୀମାନେ ଗୁଳି କରି ଚାଲିଯାଇଥିଲେ  । ତେବେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ସେ ଘରକୁ ଫେରିଛନ୍ତି ।

କିନ୍ତୁ ଏହି ଆକ୍ରମଣ ପରେ ତାଙ୍କ ପରିବାର ଲୋକେ ଭୟଭୀତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟକ୍ତି ଜଣକ ତାଙ୍କ ଘର ସମ୍ମୁଖରେ ଗାଡିରେ ବସିଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ପାଖକୁ ଚାଲିଆସି ଯୁକ୍ତିତର୍କ କରିଥିଲେ ଏବଂ ଆମେରିକା ଛାଡି ଚାଲିଯିବାକୁ ତାଙ୍କୁ କହିଥିଲେ । ଏହା ପରେପରେ ବ୍ୟକ୍ତି ଜଣକ ଭାରତୀୟଙ୍କ ଉପରକୁ ଗୁଳିମାଡ କରିଥିଲେ । ପୁଲିସ ଆକ୍ରମଣକାରୀକୁ ଖୋଜିବାରେ ଲାଗିପଡିଛି ।

ଏପରିକି ଏଥିପାଇଁ ଏଫବିଆଇ ସହାୟତା ନିଆଯାଉଥିବା ଜଣାପଡିଛି । ଆମେରିକାରେ ଟ୍ରମ୍ପ ଶାସନ ପରେ ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଘୃଣା ବଢିବାରେ ଲାଗିଛି । ଗୁରୁବାର ରାତିରେ କ୍ୟାରୋଲିନାରେ ଭାରତୀୟ ବ୍ୟବସାୟୀ ହର୍ନିସ ପଟେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା, ଏବଂ ଗତ ମାସ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା ।