ଆଠ ଦିନ ସାତ ରାତି ମୃତ୍ୟୁ ସହ ସଂଗ୍ରାମ : ଶୌଚ ହେବାକୁ ଯାଇଥିବା ବେଳେ ବାଲିରେ ପୋତି ହୋଇଯାଇଥିଲେ ଶ୍ରମିକ, ଉଦ୍ଧାର କଲା ପୋଲିସ୍

408

କନକ ବ୍ୟୁରୋ : ମାଟି ତଳେ ଆଠଦିନ ଓ ସାତ ରାତି । ହେଲେ ସୌଭାଗ୍ୟବଶତଃ ମରଣ ମୁହଁରୁ ବଂଚିଲେ ଝାଡଖଣ୍ଡର ଶ୍ରମିକ । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଛେଣ୍ଡିପଦା ଅଂଚଳରୁ । ଏହି ଅଚଂଳରୁ କାମ କରିବାକୁ ଆସିଥିବା ଝାଡଖଣ୍ଡର ବରଜା ଶେଖ୍ ନାମକ ଶ୍ରମିକ ଗତ ୧୯ ତାରିଖରେ ଘରୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏକ ଛୋଟ ନାଳ ପାଖରୁ ଶୌଚ ହେବାକୁ ଯାଇ ବାଲିରେ ଫସିଯାଇଥିଲେ । ସଂପୃକ୍ତ ସ୍ଥାନକୁ ବରଜା ଶେଖ୍ ଜାଣିନଥିବାରୁ ଏଭଳି ଘଟଣା ଘଟିଥିଲା ।

ଆଠ ଦିନ ସାତ ରାତି ସେ ବାଲିରେ ଫସି ରହିଥିଲେ । ସହଯୋଗୀମାନେ ଏ ନେଇ ଖୋଜାଖୋଜି କରିବା ପରେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନିଖୋଜ ଶ୍ରମିକର ପତ୍ତା ପାଇନଥିଲେ । ୨୬ ତାରିଖ ଦିନ ସକାଳେ ସେହି ନାଳ ଦେଇ ସଂପୃକ୍ତ ବ୍ୟକ୍ତି ଯାଉଥିବାରୁ ବରଜା ଶେଖକୁ ବାଲି ତଳେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ସହାୟତାରେ ବରଜା ଶେଖଙ୍କୁ ଉଦ୍ଧାର କରାଯାଇଛି ।

ଆଠ ଦିନ ସାତ ରାତି ନଖାଇ ନପିଇ ବାଲିରେ ପୋତି ହୋଇ ରହିବା ପରେ ସେ ନୂଆ ଜୀବନ ପାଇଛନ୍ତି । ଏକ ଠିକା ସଂସ୍ଥା ଦ୍ୱାରା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ ଚାଲିଥିବା ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣ ପାଇଁ ଅନ୍ୟ ସହଯାଗୀଙ୍କ ସହ ବରଜା ଶେଖ ଝାଡଖଣ୍ଡରୁ ଆସିଥିଲେ ।