କନକ ବ୍ୟୁରୋ : ପିଆଜ ଦରବୃଦ୍ଧିରୁ ଖୁବ ଶୀଘ୍ର ଆଶ୍ୱସ୍ତି ମିଳିବ । କମିବ ପିଆଜ ଦର ଆଉ କନ୍ଦାଇବନି ପିଆଜ । ଭାରତ ସହ ବନ୍ଧୁତା ରକ୍ଷା କରି ୧୧୦୦ ଟନ୍ ପିଆଜ ପଠାଇଲା ଆଫଗାନିସ୍ତାନ । କେବଳ ଏତିକି ନୁହେଁ ଆଫଗାନିସ୍ତାନରୁ ପାକିସ୍ତାନ ରାସ୍ତା ଦେଇ ଭାରତକୁ ଆସୁଛି ପିଆଜ । ଖୁବ ଶୀଘ୍ର ଆଫଗାନିସ୍ତାନରୁ ଆଉ ୩୦ରୁ ୩୫ ଟ୍ରକ ପିଆଜ ଭାରତ ପହଞ୍ଚିବ ବୋଲି ସୂଚନା ମିଳିଛି ।
ଭାରତରେ ପିଆଜର ଚଢ଼ା ଦର ହେବା ପରେ ଆଫଗାନିସ୍ତାନ ବ୍ୟବସାୟୀମାନରେ ଭାରତରେ ପିଆଜ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସୂତ୍ର ଅନୁସାରେ ଜଣାପଡ଼ିଛି । ଆଫଗାନିସ୍ତାନର ପିଆଜ ଆମଦାନୀ ହେବାପରେ ଦର ଖସିବ ବୋଲି ଅନୁମାନ କରାଯାଉଛି । ଆଫଗାନିସ୍ତାନରୁ ପିଆଜ ଆସିବା ପରେ ଦେଶର ପିଆଜ ଅଭାବ ଦୂର ହେବ । ୩୦ରୁ ଟଙ୍କା କିଲୋ ପ୍ରତି ଦର ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ବର୍ତ୍ତମା ସମୟରେ ଅମୃତସର ଓ ଲୁଧିଆନାରେ ଆଫଗାନୀ ପିଆଜ ଦର ୩୦ରୁ ୩୫ ଟଙ୍କା କିଲୋ ପ୍ରତି ବ୍ରିକ୍ରି ହେଉଛି । ସେପଟେ ଆଫଗାନିସ୍ତାନରୁ ଆମଦାନୀ ହେଉଥିବା ପିଆଜ ଆଉ ମାତ୍ର ୨ ଦିନ ପରେ ରାଜଧାନୀ ଦିଲ୍ଲୀରେ ବିକ୍ରି ଆରମ୍ଭ ହୋଇଯିବ । ଚଢ଼ା ଦରରେ ପିଆଜ କିଣି ହନ୍ତସନ୍ତ ହେଉଥିବା ଖାଉଟି ଆଶ୍ୱସ୍ତି ପାଇବେ ।
ସୂଚନାଯୋଗ୍ୟ ଦେଶର ସବାଧିକ ପିଆଜ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର ସମେତ ଦକ୍ଷଣ ଭାରତରେ ବର୍ଷା ଯୋଗୁଁ ପିଆଜ ଫସଲ ଭଲ ହୋଇନି । ଫଳରେ ଅହେତୁକ ଭାବେ ବୃଦ୍ଧି ପାଇଛି ପିଆଜ ଦର । ରାତି ପାହିଲେ ବଢୁଛି ପିଆଜ ଦର । ବଜାରକୁ ଆବଶ୍ୟକତାଠାରୁ କମ୍ ପିଆଜ ଆସୁଛି । ଅନେକ ସ୍ଥାନରେ ପିଆଜର ମାନ ଭଲ ରହୁନି । ତଥାପି ଦର ଚଢା ରହିଛି । ପିଆଜ କିଣିବାକୁ ଡର ଲାଗୁଛି । ତେବେ ଖୁବ ଶୀଘ୍ର ବଜାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି ।