ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ ବାଧ୍ୟତାମୂଳକ ! ପ୍ରେସ ରିଲିଜରେ ସ୍ପଷ୍ଟ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ
କନକ ବ୍ୟୁରୋ : ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ ବାଧ୍ୟତାମୂଳକ । ପ୍ରେସ ରିଲିଜରେ ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । କିଛି ଦିନ ହେବ ଏନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୁନ ୧ରେ ଏନେଇ ବିଜ୍ଞପ୍ତ ଜାରି ହୋଇଥିଲା । ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରିଭେନସନ ଅଫ ମନି ଲଣ୍ଡରିଂ ସେକେଣ୍ଡ ଆମେଂଡମେଂଟ ନେଇ ଜୁନ୍ ୧, ୨୦୧୭ରେ ପ୍ରକାଶିତ ହୋଇଥିବା ଗେଜେଟ ନୋଟିଫିକେସନ ଆଧାରରେ ଆରବିଆଇ ଏହି ତଥ୍ୟ ରଖିଛି । ବ୍ୟାଙ୍କ ଗୁଡିକ ବିନା କୈାଣସି ନିର୍ଦ୍ଦେଶକୁ ଅପେକ୍ଷା କରିବା ବଦଳରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆରବିଆଇ କହିଛି । ଯେତେବେଳେ ଆଧାରକୁ ନେଇ ସାରା ଦେଶରେ ବଡ ଧରଣର ବିବାଦ ଚାଲିଛି ଓ ଆସନ୍ତା ମାସରେ ଆଧାର ବାବଦରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି, ଠିକ ସେତିକି ବେଳେ ଆରବିଆଇର ଏହି ସ୍ପଷ୍ଟୀକରଣ ନାନା ବିବାଦ ସୃଷ୍ଟି କରିଛି । ତେବେ ଏନେଇ ଅନେକ ପ୍ରଶ୍ନ ମଦ୍ୟ ଉଠୁଛି ।
– ଆଧାର ନେଇ ଆରବିଆଇ ଓ ବ୍ୟାଙ୍କଗୁଡିକ ମଧ୍ୟରେ ସମନ୍ୱୟର ଅଭାବ ରହୁଛି କି?
– ଖାତାଧାରୀ ସାମ୍ନା କରୁଥିବା ସମସ୍ୟା ବାବଦରେ ବ୍ୟାଙ୍କ ଅବଗତ ରହୁଛି ତ?
ଗତକାଲି ବିଜେଡି ସାଂସଦ ତଥାଗତ ସତପଥୀ ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଆଧାରରେ ବ୍ୟାଙ୍କ ଆକାଉଂଟ ଓ ଆଧାର ଲିଙ୍କ ବାଧ୍ୟତାମୂଳକ ନୁହେଁ ବୋଲି ଟ୍ୱିଟ କରିଥିଲେ । ଏହି ଖବର ପରେ ବ୍ୟାଙ୍କ ଆଧାର ଲିଙ୍କ ନେଇ ଦ୍ୱନ୍ଦ ଅଧିକ ବଢିଥିଲା । ଏହା କେନ୍ଦ୍ର ସରକାରଙ୍କର କେବଳ ଯୋଜନା ଏବଂ ଏହା ପଛରେ ଆରବିଆଇ ମତ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଆଜି ଏନେଇ ଆରବିଆଇ ସ୍ପଷ୍ଟୀକରଣ ପରେ ଏହା ସ୍ପଷ୍ଟ ହୋଇଛି । ଆଧାର କାର୍ଡ଼ ସଯୋଗକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ସାଧାରଣ ଲୋକେ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବା ପାଇଁ ମିଳୁଥିଲା ।
ତେବେ ଏବେ ସବୁ କଥା ସ୍ପଷ୍ଟ ହୋଇଯାଇଛି । ଗୋଟିଏ ଆଧାରରେ ଗୋଟିଏ ବ୍ୟାଙ୍କ ପାସବୁକ୍ ଲିଂକ ହେଉଥିବା ବେଳେ, ଡିବିଟିରେ ଫାଇଦା ପାଉଥିବା ଆକାଉଂଟଧାରୀ ନାନା ସମସ୍ୟା ସାମ୍ନା କରୁଛନ୍ତି । ଯାହାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ବଡ କଥା ହେଉଛି, ଗତ ଅଗଷ୍ଟରେ ସୁପ୍ରିମକୋର୍ଟ କହିଥିଲେ, ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର । ଯାହାପରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ନେଇ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ବଡ ପ୍ରଭାବ ପଡିବାର ଆଶଙ୍କା କରାଯାଉଛି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବାକୁ ହେଲେ ଆଧାର ବାଧ୍ୟତାମୂଳକ ନେଇ କେନ୍ଦ୍ରର ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ୩ଟି ପିଟିସନ୍ ଫାଇଲ ହୋଛି । ସେଦୃଷ୍ଟିରୁ ଆଧାରର ଭବିଷ୍ୟତ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିବା ବେଳେ, ଆଧାର ବାଧ୍ୟତାମୁଳକ କରିବା ପ୍ରସଙ୍ଗ ପୁଣି ବିବାଦକୁ ଟାଣି ଆଣିଛି ।
ସରକାର ଗତ ଜୁନ୍ ମାସରେ ବ୍ୟାଙ୍କ ଖାତା ଖୋଲିବା ଓ ୫୦ ହଜାର କିମ୍ବା ତାଠାରୁ ଅଧିକ ଟ୍ରାନଜାକ୍ସନ କରିବା କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିଥିଲେ । ସେହିଭଳି ୩୧ ଡିସେମ୍ବର ୨୦୧୭ ସୁଦ୍ଧା ସମସ୍ତ ବ୍ୟାଙ୍କ ଖାତାକୁ ଆଧାର ସହ ସଂଯୋଗ କରିବାକୁ କହିଥିଲେ । ଆଧାର ସଂଯୋଗ ନଥିବା ବ୍ୟାଙ୍କ ଖାତା ଅଚଳ ହୋଇଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍(ଆରଟିଆଇ) ଆଧାରରେ ଏକ ପ୍ରଶ୍ନ ପତ୍ର ଜାରି ହୋଇଥିଲା ।
ଏହି ପ୍ରଶ୍ନ ପତ୍ରର ଉତ୍ତରରେ ଏବେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ନିକଟରେ ଜବାବ ଆସିଥିଲା ଯେ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପକ୍ଷରୁ ସେପରି କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ମାତ୍ର ଆଜି ତା’ର ମତ ସ୍ପଷ୍ଟ କରିଛି । ବଜେଟ ୨୦୧୭ ଉପସ୍ଥାପନ ବେଳେ ପ୍ୟାନ୍ କାର୍ଡ ସହ ମଧ୍ୟ ଆଧାରକୁ ଲିଂକ ଅନିବାର୍ଯ୍ୟ କରାଯାଇଥିଲା । ଏକାଧିକ ପ୍ୟାନ୍ ବ୍ୟବହାର କରି ଟିକସ ଠକିବାର ଧାରାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିଲା ।