ପୋଷ୍ଟ ଅଫିସ୍, ପ୍ରୋଭିଡେଣ୍ଟ ଫଣ୍ଡ ଜମା ଓ କିସାନ ବିକାଶ ପତ୍ର ପାଇଁ ବାଧ୍ୟତାମୂଳକ ହେଲା ଆଧାର କାର୍ଡ଼

53

ପୋଷ୍ଟ୍‍ ଅଫିସରେ ସମସ୍ତ ପ୍ରକାର ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ ସମୟରେ ଆଧାର ସଂଯୁକ୍ତ କରିବା ବାଧ୍ୟତାମୂଳକ ହୋଇଛି । ଯେଉଁମାନେ ଆଗରୁ ପୋଷ୍ଟ୍‍ ଅଫିସ୍‌ରେ ଜମା କରିଛନ୍ତି କିମ୍ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ କରିଛନ୍ତି, ସେମାନେ ଡିସେମ୍ବର ୩୧ ସୁଦ୍ଧା ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ ।

aadhar-cardଅର୍ଥ ମନ୍ତ୍ରାଳୟ ଏ ନେଇ ୪ଟି ଭିନ୍ନ ଗେଜେଟ୍‌ ବିଜ୍ଞପ୍ତି ଜାରି କରିଛି। ଏହି ଏହି ବିଜ୍ଞପ୍ତିରେ କୁହାଯାଇଛି କି ପୋଷ୍ଟ୍‍ ଅଫିସ୍‌, ପ୍ରୋଭିଟେଣ୍ଟ୍‌ ଫଣ୍ଡ୍‌, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଲାଗି ଆଧାର ଜରୁରୀ । ଯଦି କୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ନ ଥାଏ ତେବେ ତାଙ୍କୁ ଆଧାର ପଞ୍ଜିକରଣ ଲାଗି ଆବେଦନ କରିଥିବା ଦସ୍ତାବିଜ୍‌ ଦର୍ଶାଇବାକୁ ହେବ । ଉଲ୍ଲେଖଯୋଗ୍ୟ କି କେନ୍ଦ୍ର ସରକାର କଳାଧନ କାରବାର ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ବ୍ୟାଙ୍କ୍‌ ଜମା ଖାତା ଓ ମୋବାଇଲ୍‌ ଫୋନ୍‌ ନମ୍ବର ସହିତ ଆଧାର ସଂଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତମାସରେ କେନ୍ଦ୍ର ସରକାର ଆଧାର ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଇ ଡିସେମ୍ବର ୩୧ କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଥିଲା। ମାତ୍ର ସବୁ ଜମା ଖାତାଧାରୀ ଓ ମୋବାଇଲ୍‌ ଉପଭୋକ୍ତା ଆଧାର ସଂଯୁକ୍ତ କରିବାରେ ଅସମର୍ଥ ହେବାରୁ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହାପରେ ଜମାଖାତା ଓ ମୋବାଇଲ୍‌ ଏବଂ ବ୍ୟାଙ୍କ୍‌ କାରବାରକୁ ନିଷେଧ କରାଯିବ ବୋଲି ଜଣାପଡ଼ିଛି ।