ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ କରିବାକୁ ମୋଦି ସରକାରଙ୍କ କଡ଼ା ନୀତି : କାଶ୍ମୀରରେ ମୁତୟନ ହେବେ ଅଧିକ ୧୦ ହଜାର ଯବାନ୍

111

କନକ ବ୍ୟୁରୋ : ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୨୫ ତାରିଖରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ କଶ୍ମୀରରେ ଏବେ ଅଧିକ ୧୦,୦୦୦ ଯବାନ ପହଞ୍ଚି ସାରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଦୃଢ଼ କରିବାପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଅଚାନକ ୧୦ ହଜାର ସେନା ମୁତୟନ କରାଯିବାରୁ ରାଜ୍ୟରେ ଧାରା ୩୭୦ ଓ ୩୫-ଏ ହଟାଇବା ଦିଗରେ ଏହା ଏକ ପ୍ରାକ୍‌ ପ୍ରସ୍ତୁତି ବୋଲି କୁହାଯାଉଛି।

ମୋଦୀ ସରକାରଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭଲ କଶ୍ମୀର ଗସ୍ତରୁ ଫେରିବାର ଦୁଇ ଦିନ ପରେ ସରକାର ୧୦ ହଜାର ଯବାନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ନେସ୍‌ନାଲ କନ୍‌ଫରେନ୍ସ ନେତାମାନେ ବିରୋଧ କରିବା ଆରମ୍ଭ କରିଛନ୍ତି ।

ସରକାର କଶ୍ମୀରକୁ ସେନା ନିୟନ୍ତ୍ରଣରେ ହିଁ ରଖିବାକୁ ଚାହୁଛନ୍ତି ବୋଲି ମୁଫ୍‌ତି କହିଛନ୍ତି । ଉପତ୍ୟକାରେ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀର ହେଉଛି ଏକ ରାଜନୈତିକ ସମସ୍ୟା । ଏଠାରେ ସାମରିକ ଉପାୟରେ ସମସ୍ୟାର ସାମଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ସିଆରପିଏଫ୍‌ର ୫୦ କମ୍ପାନି, ଏସ୍‌ଏସ୍‌ବିର ୩୦, ଆଇଟିବିପି ଏବଂ ବିଏସଏଫ୍‌ରୁ ୨୦ କମ୍ପାନି ଜମ୍ମୁ କଶ୍ମୀରରେ ପହଞ୍ଚି ସାରିଛନ୍ତି ।

 

ଏନ୍‌ଏସଏ ଡୋଭଲ ତାଙ୍କ ଗସ୍ତ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଥିଲେ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଉଲ୍ଲେଖଯୋଗ୍ୟ ନିକଟରେ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ୪୦,୦୦୦ ଅତିରିକ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ କଶ୍ମୀରରେ ପହଞ୍ଚିଥିଲେ।