ନିଷ୍ପତ୍ତି ବଦଳାଇଲା ଉଚ୍ଚଶିକ୍ଷା ବିଭାଗ : ଏକକ ବଦଳରେ ଯୁକ୍ତ୩ ପାଠ୍ୟକ୍ରମରେ ଲାଗୁ ହେବ ଆଦର୍ଶ ସିଲାବସ୍

241

କନକ ବ୍ୟୁରୋ : ଯୁକ୍ତ୩ ଓ ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ଲାଗୁ ହେବନି ଏକକ ସିଲାବସ୍‌ । ଏହା ବଦଳରେ ୨୦୧୯-୨୦ ଶିକ୍ଷାବର୍ଷରୁ ଯୁକ୍ତ୩ରେ ଆଦର୍ଶ ସିଲାବସ୍‌ ଲାଗୁ କରାଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯେଉଁ ଆଦର୍ଶ ସିଲାବସ୍‌ ପ୍ରସ୍ତୁତ ହୋଇଛି ‌ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଚାହିଁଲେ ସେଥିରେ ପରିବର୍ତନ କରିପାରିବେ । ଏକାଡେମିକ କାଉନସିଲ୍‌ ଓ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସର୍ବସମ୍ମତିକ୍ରମେ ସିଲାବସ୍‌ର ୧୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳର ବିଷୟକୁ ସ୍ଥାନିତ କରିପାରିବେ । ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଆଜି ଡକାଯାଇଥିବା କୁଳପତି ସମ୍ମିଳନୀରେ ଏଭଳି ନିଷ୍ପତ୍ତି ହୋଇଛି ।

ତେବେ ଦେଢ଼ ବର୍ଷ ହେଲା ଏକକ ସିଲାବସ୍‌ ଲାଗୁ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ଯେଉଁ କଥା କହୁଥିଲେ ତାହାକୁ ବାଏ ବାଏ ଉଡ଼ାଇ ଦେଇଛନ୍ତି ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ । ପ୍ରଫେସର ଦାସ କହିଛନ୍ତି ଯେ ଏକକ ସିଲାବସ୍‌ ଲାଗୁ ହେବା କଥା ଆମେ କେବେ ବି କହିନୁ । ମଡେଲ୍‌ ସିଲାବସ୍‌ ଲାଗୁ କରିବାକୁ ସବୁବେଳେ ଆମେ କହି ଆସିଛୁ । ମଡେଲ୍‌ ସିଲାବସ୍‌ ୱେବସାଇଟ୍‌ରେ ଛଡ଼ାଯିବା ପରେ ୧୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲୁ । ‌ଯେଉଁମାନଙ୍କର କୌଣସି ଆପତ୍ତି ରହିଛି ସେମାନେ କହିପାରିବେ ।

ମତାମତ ଆସିବା ପରେ କେଉଁ ପରିବର୍ତନ ହେବ ସେନେଇ କୁଳପତିଙ୍କ ସହ ଆଲୋଚନା କରିଛୁ । ଏବେ ଯେଉଁ ସିଲାବସ୍‌ ୱେବସାଇଟ୍‌ରେ ଛଡ଼ାଯାଇଛି ତାହାର ସଂଶୋଧିତ ସିଲାବସ୍‌ ଖୁବ୍‌ଶୀଘ୍ର ପୁଣିଥରେ ପ୍ରକାଶ କରାଯିବ । ଆଦର୍ଶ ସିଲାବସ୍‌ ଦ୍ବାରା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକ ଏକ୍ସଲେନ୍ସ ଦିଗରେ ବଢ଼ିପାରିବେ । ଓଡ଼ିଶାର ଛାତ୍ରଛାତ୍ରୀ କିଭଳି ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଏହାବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରଶ୍ନପତ୍ର ବ୍ୟଙ୍କ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି ।

ବଡ଼ ନିଷ୍ପତ୍ତି କ୍ରମରେ ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ଏକକ କିମ୍ବା ଆଦର୍ଶ ସିଲାବସ୍‌ ଲାଗୁ ହେବ ନାହିଁ । ୨୦୧୯-୨୦ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ବି ସ୍ଥଗିତ ରଖାଯାଇଛି । ପ୍ରଫେସର ଦାସ କହିଛନ୍ତି ‌ଯେ ପିଜିସ୍ତରରେ ଏକକ ସିଲାବସ୍‌ କରିବା ସମ୍ଭବପର ନୁହେଁ । ବିଶ୍ବବିଶ୍ବବିଦ୍ୟାଳୟସ୍ତରରେ ଅଧିକ ଗବେଷଣା ହେଉଥିବାରୁ ଏକକ ସିଲାବସ୍‌ ଲାଗୁ କରାଯିବା ଦ୍ବାରା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ଏବେ ଏକକ ପ୍ରବେଶିକା ପରୀକ୍ଷା ସମ୍ଭବପର ହୋଇ ନାହିଁ। ତେଣୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ ହେବ ।