ବାପାଙ୍କ ସ୍ଥାନରେ ଗୁରୁଦାସପୁରରୁ ନିର୍ବାଚନ ଲଢ଼ିପାରନ୍ତି ଅଭିନେତା ଅକ୍ଷୟ ଖାନ୍ନା ! ଯୋଜନା କରୁଛି ବିଜେପି

131

କନକ ବ୍ୟୁରୋ : ପଞ୍ଜାବରେ ବିଜେପି ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମିଶି ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଜେପି ଏବେ ପଞ୍ଜାବର ୩ଟି ଆସନ (ଅମୃତସର, ଗୁରୁଦାସପୁର ଏବଂ ହୋଶିଆରପୁର) ପାଇଁ ପ୍ରାର୍ଥୀମାନଙ୍କ ନାଁ ବାଛିି ନେଇଥିବା ସ୍ପଷ୍ଟ କରିଛନ୍ତି ବିଜେପିର ଜଣେ ପ୍ରମୁଖ ନେତା । ଏହି ୩ଟି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ ପ୍ୟାନେଲକୁ ଅନେକ ନାଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ବିଜେପି ୩ଟି ନାଁ ବାଛି ଥିବା ଜଣାପଡ଼ିଛି । କିନ୍ତୁ ବିଜେପି ବାଛିଥିବା ନାଁ ଗୁଡ଼ିକର ଘୋଷଣା କିଛି ଦିନ ପରେ କରିବ ।

ତେବେ ଗୁରୁଦାସପୁରରେ ବର୍ତ୍ତମାନ ଥିବା ସାଂସଦ ସୁନୀଲ ଝାକଡ଼ଙ୍କ  ମୁକାବିଲା କରିବା ପାଇଁ ତାଙ୍କ ବିରୋଧରେ ସେଭଳି ସଶକ୍ତ ପ୍ରାର୍ଥୀକୁ ଆଣିବା ପାଇଁ ଯୋଜନା କରୁଛି ବିଜେପି । ଏହି ଆସନ ପାଇଁ ଦିବଂଗତ ବିଜେପି ନେତା ତଥା ବଲିଉଡ୍‌ ଅଭିନେତା ବିନୋଦ ଖାନ୍ନାଙ୍କ ପରେ ତାଙ୍କ ପତ୍ନୀ କବିତା ଖାନ୍ନା ବା ତାଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କୁ ଟିକେଟ ଦେବା ପାଇଁ ବିଜେପି ଯୋଜନା କରୁଥିବା ଜଣାପଡ଼ିଛି । ବିନୋଦ ଖାନ୍ନା ୪ଥର ଗୁରୁଦାସପୁରରୁ ସାଂସଦ ହୋଇଥିଲେ । ଗୁରୁଦାସପୁର ଲୋକମାନଙ୍କ ମଧ୍ୟରେ ବିନୋଦ ଖାନ୍ନା ଅଧିକ ଲୋକପ୍ରିୟ ଥିବାରୁ ବିଜେପି ତାଙ୍କ ପତ୍ନୀ ବା ପୁଅକୁ ଟିକେଟ୍‌ ଦେଇପାରେ ବୋଲି ଆଶା କରାଯାଉଛି ।