ଚଢ଼ା ଦରରେ ସାର ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ । କୃଷି ସାମଗ୍ରୀ ଯୋଗାଣରେ ଯାଞ୍ଚ୍ କଡ଼ାକଡ଼ି କରିବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

341

କନକ ବ୍ୟୁରୋ : ଚଳିତ ଖରିଫ ଚାଷ ନିମନ୍ତେ ବିଭିନ୍ନ ସ୍ଥାନରେ ଚାଷୀମାନେ ଠିକ୍ ସମୟରେ ସାର ପାଉ ନ ଥିବାର ଅଭିଯୋଗ ହେଉଛି। ପୁଣି କିଛି ଜାଗାରେ ଚଢ଼ା ଦରରେ ବି ସାର ବିକ୍ରି ହେଉଛି । ବିଭିନ୍ନ ସ୍ଥାନରୁ ଏପରି ଅଭିଯୋଗ ଆସିଲା ପରେ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସାର ଯୋଗାଣର ସମୀକ୍ଷା କରିଥିଲେ। ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ, ସେଥି ପାଇଁ ପ୍ରତ୍ୟେକ ସ୍ତରରେ ଯାଞ୍ଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଅଧିକ ଦରରେ ସାର ବିକ୍ରୟର ଅଭିଯୋଗ ଆସିଲେ, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ। ଏହା ସହ ରାଜ୍ୟକୁ ଅଧିକ ପରିମାଣରେ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟରେ ଖରିଫ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ କୋଭିଡ୍‌-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥି ପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନ ରୁହେ, ସେଥି ପ୍ରତି ସମବାୟ ବିଭାଗ ସହିତ ସମନ୍ବୟ ରକ୍ଷା କରି ସାରର ସୁଷମ ବଣ୍ଟନ କରିବା ଆବଶ୍ୟକ। ଏହା ସହ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ। ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ କୁହାଯାଇଥିଲା।