କରୋନା ଯୋଗୁଁ ଭୁଶୁଡୁଛି ଅର୍ଥ ବ୍ୟବସ୍ଥା, ଅର୍ଥନୈତିକ ସଙ୍କଟ ଆଡକୁ ଆଗଉଛି ବିଶ୍ୱ : ଜାତିସଂଘ ଅର୍ଥନୈତିକ ରିପୋର୍ଟରେ ଆକଳନ, ସଙ୍କଟରୁ ବର୍ତ୍ତିପାରନ୍ତି ଚୀନ ଓ ଭାରତ

690

କନକ ବ୍ୟୁରୋ : କରୋନା ଭୂତାଣୁ ସଂକଟର ମୁକାବିଲା ଭିତରେ ସାମ୍ନାକୁ ଆସିଲା ମିଳିତ ଜାତିସଂଘର ଅର୍ଥନୈତିକ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ କରୋନା ଭୂତାଣୁ ପାଇଁ ସାରା ବିଶ୍ୱ ଚଳିତ ବର୍ଷ ଏକ ବଡ ଅର୍ଥନୈତିକ ସଙ୍କଟକୁ ସାମ୍ନା କରିବାକୁ ଯାଉଛି । ତେବେ ଏହି ଅର୍ଥନୈତିକ ସଙ୍କଟରୁ ବର୍ତ୍ତିପାରନ୍ତି ଭାରତ ଓ ଚାଇନା ।

କରୋନା ଭୂତାଣୁ ଏବେ ସମଗ୍ର ବିଶ୍ୱକୁ ଅର୍ଥନୈତିକ ସଙ୍କଟ ଭିତରକୁ ଟାଣି ଆଣିଛି । ଚଳିତ ବର୍ଷ ସାରା ବିଶ୍ୱକୁ ୨ ଟ୍ରିଲିଅନ୍ ଡଲାରର କ୍ଷତି ସହିବାକୁ ପଡିବ ବୋଲି ମିଳିତ ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଜାତିସଂଘର ନୂତନ ଟ୍ରେଡିଂ ରିପୋର୍ଟ ଅନୁସାରେ ବିଶ୍ୱ ଏକ ମହା ଅର୍ଥନୈତିକ ସଙ୍କଟ ଆଡକୁ ମୁହାଁଉଛି । ବିଶେଷ କରି ବିକଶିତ ରାଷ୍ଟ୍ର ଗୁଡିକ ଅନେକ ଅର୍ଥନୈତିକ ସମସ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି । ୟୁନାଇଟେଡ୍ ନେସନ୍ କନ୍ଫରେନ୍ସ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଂଟ୍ ବା ୟୁଏନସିଟିଏଡିର ସାଧାରଣ ସଚିବ କହିଛନ୍ତି, କରୋନା ଭୂତାଣୁ ପାଇଁ ବିଶ୍ୱ ଅର୍ଥନୀତି ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ।

ଜର୍ମାନୀ, ଇଟାଲୀ ସମେତ ଅନେକ ୟୁରୋପୀୟ ଦେଶ ଗୁଡିକର ଅର୍ଥବ୍ୟବସ୍ଥା ଏକ ପ୍ରକାର ଦୋହଲି ଯାଇଛି । ମାତ୍ର ଭାରତ ଓ ଚୀନ ଉପରେ ସଙ୍କଟ ନଥିବା ରିପୋର୍ଟରେ ଦର୍ଶା ଯାଇଛି ।

ଜାତିସଙ୍ଘର ରିପୋର୍ଟ ଅନୁସାରେ
– ବିକାଶଶୀଳ ରାଷ୍ଟ୍ରରେ ସବୁଠାରୁ ବେଶୀ ଗରିବ ଲୋକ ବାସ କରନ୍ତି
– ବିକାଶଶୀଳ ରାଷ୍ଟ୍ରକୁ ଅର୍ଥନୈତିକ ସଙ୍କଟରୁ ବାହାରିବା ପାଇଁ ୨ରୁ ୩ ଟ୍ରିଲିଅନ ଡଲାର ସହାୟତା ପ୍ରଦାନ କରାଯିବ
– ବିକାଶଶୀଳ ରାଷ୍ଟ୍ର ଗୁଡିକର ଅବସ୍ଥା ସାମାନ୍ୟ କରିବା ପାଇଁ ୨ ବର୍ଷର ସମୟ ଲାଗିବ
– ଜି-୨୦ ଦେଶ ଗୁଡିକ ଦେଶର ଅର୍ଥବ୍ୟବସ୍ଥା ପାଇଁ ୩୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି ।

ଜାତିସଂଘର ରିପୋର୍ଟ ଅନୁସାରେ ଭାରତ ଓ ଚୀନ ଯେଉଁ କ୍ଷତି ସହିବେ ତାହା କିଛି ବର୍ଷ ମଧ୍ୟରେ ଭରଣ ହୋଇ ଯାଇପାରେ । ତେବେ କାହିଁକି ଓ କିପରି ଏହି ଦୁଇଟି ଦେଶ ଉପରେ ଅର୍ଥନୈତିକ ବୋଝ ପଡିବ ନାହିଁ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଜାତିସଂଘ ପକ୍ଷରୁ ଦିଆଯାଇ ନାହିଁ ।