କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ରବିବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକକୁ ଟାଭେରା ଧକ୍କା ଦେବା ପରେ ଘଟଣାସ୍ଥଳରେ ଦୁଇ ଜଣ ଓ ପରେ ଚିକିତ୍ସା ଅବସ୍ଥାରେ ଜଣକଙ୍କ ମୃତ୍ୟୁ ହୋଇ ଯାଇଛି । ଜାଦୀୟ ରାଜପଥରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏ ନେଇ ମଧ୍ୟ ଚିନ୍ତାରେ କମିସନରେଟ ପୁଲିସ । କେମିତି ଜାତୀୟ ରାଜପଥରୁ ଦୁର୍ଘଟଣା ହ୍ରାସ ହେବ ସେ ନେଇ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ବେ ଦୁର୍ଘଟଣା କମୁ ନାହିଁ । ଯାହା ସୂଚନା ମିଳିଛି ଗତ ୫ ବର୍ଷ ମଧ୍ୟରେ ଖଣ୍ଡଗିରି ଛକରୁ ପାହାଳ ଛକ ମଧ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ୭୫୬ ଜଣଙ୍କ ଜୀବନ ଯାଇଛି । ଏକାଧିକ ପଙ୍ଗୁ ହୋଇ ଯାଇଛନ୍ତି ।
ଜାତୀୟ ରାଜପଥରେ ଏପରି ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉ ଥିବାରୁ ତାକୁ ନିୟନ୍ତ୍ରଣ କରିବା ପୁଲିସ ଲାଗି ଚ୍ୟାଲେଞ୍ଜ ହୋଇଛି । କିଛି ମାସ ତଳେ ଜାତୀୟ ରାଜପଥରେ ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ଅଂଚଳ ଚିହ୍ନଟ କାମ ଆରମ୍ଭ ହୋଇଥିଲା । ୫ଟି ଛକ ବାଟଭୁଆସୁଣୀ, ପାତ୍ରପଡାର ଆଇଗିଣିଆ, ନୟାପଲ୍ଲୀର କ୍ରାଉନ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓ ପାହାଳକୁ ଦୁର୍ଘଟଣାପ୍ରବଣ ଅଂଚଳ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରା ଯାଇଥିଲା। ସେହି ସବୁ ଛକରେ ସତର୍କ ସୂଚନା ମଧ୍ୟ ଲାଗିଲା । ସ୍ପିଡ ବ୍ରେକର ମଧ୍ୟ ଲଗାଇବାକୁ ନିର୍ଦେଶ ହେଲା । ନୂଆ ମୋଟର ଯାନ ଆଇନ ପରେ ମଦ୍ୟପ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି । ଏହା ସତ୍ତ୍ବେ ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି ।