ଦେଶରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦବେଗଜନକ : ୫ ମାସରେ ୩ ରାଜ୍ୟରେ ୧୧୭୦ ମୃତ

111

କନକ ବ୍ୟୁରୋ : ପାହାଡ଼ି ରାଜ୍ୟ ଗୁଡ଼ିକରେ ସଡ଼କ ଦୁର୍ଘଟଣା ଅତି ଉଦ୍‌ବେଗଜନକ ଭାବେ ବଢ଼ୁଛି । ଜମ୍ମୁ କଶ୍ମୀରର କିସ୍ତୱାଡ଼ରେ ଗତକାଲି ଏକ ଖାଇକୁ ବସ୍ ଖସି ପଡ଼ିବା ଫଳରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିଲା । ଏହାର ଦିନକ ପୂର୍ବରୁ ସୋପିଆନ୍‌‌ରେ ମଧ୍ୟ ଏକ ଖାଇକୁ ବସ୍‌ ଖସି ପଡ଼ି ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା  । ତେବେ କେବଳ ଜମ୍ମୁ କଶ୍ମୀର ନୁହେଁ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପରି ପାହାଡ଼ି ରାଜ୍ୟରେ ଗତ ୫ ମାସ ମଧ୍ୟରେ ସଡ଼କ ଦୁର୍ଘଟଣା ଯୋଗୁଁ ୧୧୭୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ଦଶନ୍ଧି ମଧ୍ୟରେ ହିମାଚଳରେ ପ୍ରତିବର୍ଷ ହାରାହାରି ୧୧୦୦ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଜମ୍ମୁ କଶ୍ମୀରରେ ୯୦୦ ଲୋକ ପ୍ରାଣ ହରାଉଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି । ୨୦୧୯ ଜାନୁଆରିରୁ ମେ’ ୩୧, ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ସଡ଼କ ଦୁର୍ଘଟଣାରେ ୩୪୦ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୮ ମସିହାରେ ଜମ୍ମୁ କଶ୍ମୀରରେ ସଡ଼କ ଦୁର୍ଘଟଣା ହେତୁ ୯୮୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଜାନୁଆରିରୁ ମେ’ ୩୧ ମଧ୍ୟରେ ୧୧୬୮ଟି ସଡ଼କ ଦୁର୍ଘଟଣା ଯୋଗୁଁ ୪୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗତ ଜୁନ୍‌ ୨୦ ତାରିଖରେ ହିମାଚଳରେ କୁଲ୍ଲ ଜିଲ୍ଲାରେ ଏକ ଖାଇକୁ ବସ୍‌ ଖସିପଡ଼ି ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତବର୍ଷ ୩୧୧୯ ସଡ଼କ ଦୁର୍ଘଟଣାରେ ୧୧୬୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ ପରଠାରୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଗତବର୍ଷ ସବୁଠୁ ଅଧିକ ଥିଲା ।

ତଥ୍ୟ ଅନୁଯାୟୀ ଜମ୍ମୁ କଶ୍ମୀର ଅପେକ୍ଷା ହିମାଚଳପ୍ରଦେଶରେ ସଡ଼କ ଦୁର୍ଘଟଣା ଯୋଗୁଁ ଅଧିକ ମୃତ୍ୟୁ ହେଉଛି । ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ଚଳିତବର୍ଷ ମେ’ ସୁଦ୍ଧା ୫୨୮ଟି ସଡ଼କ ଦୁର୍ଘଟଣାରେ ୩୬୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ ଜୁଲାଇ ୧ ରେ ପୌଡ଼ି ଗଡ଼ୱାଲ୍‌ରେ ୧୦୦ ଫୁଟ୍‌ ଗଭୀର ଖାଇକୁ ଏକ ବସ୍‌ ଖସି ପଡ଼ିବା ଫଳରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା ।