କନକ ବ୍ୟୁରୋ : ରାଜ୍ୟରେ ଏବେ ବି ଲୁଟୁଛନ୍ତିି ଚିଟ୍ଫଣ୍ଡ କମ୍ପାନି । ଜମାକାରୀଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ଖୋଲା ବଜାରରୁ ସଂଗ୍ରହ ହେଉଛି କୋଟି କୋଟି ଟଙ୍କା । ସିବିଆଇ ଓ କ୍ରାଇମ୍ବ୍ରାଞ୍ଚ ଏକାଧିକ ଚିଟ୍ଫଣ୍ଡ୍ ସଂସ୍ଥା ମୁଖ୍ୟମାନଙ୍କୁ ଗିରଫ କରିବା ପରେ ମଧ୍ୟ ସଂପୂର୍ଣ ଭାବେ ଚିଟ୍ଫଣ୍ଡ କମ୍ପାନିଗୁଡିକୁ ରାଜ୍ୟରେ ମୂଳପୋଛ କରାଯାଇ ପାରିନାହିଁ । କିଛି ସଂସ୍ଥା ଏମଧ୍ୟରେ ସେମାନଙ୍କର ନାମ ପରିବର୍ତ୍ତନ କରିଛନ୍ତି ।ଏସବୁ କାହାର ଅଭିଯୋଗ ନୁହେଁ । ବରଂ ଖୋଦ୍ ପୁଲିସ ଏହାକୁ ସ୍ୱୀକାର କରିଛି । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏଭଳି କମ୍ପାନି ସଂଖ୍ୟା ଏକ କିମ୍ବା ଦୁଇରେ ସୀମିତ ନାହିଁ । ୫୦ରୁ ଉର୍ଦ୍ଧ୍ୱ ଚିଟ୍ଫଣ୍ଡ କମ୍ପାନି ରାଜ୍ୟରେ ଏବେ ବି ସକ୍ରିୟ ଅଛନ୍ତି । ମାସକ ତଳେ ତଳେ କ୍ରାଇମ୍ବ୍ରାଞ୍ଚକୁ ଏଭଳି ସୂଚନା ଦେଇଥିଲେ ଆର୍ବିଆଇ କର୍ତ୍ତୃପକ୍ଷ ।
ଆଜିର କର୍ମଶାଳାରେ ଯୋଗ ଦେଇଥିବା ଅଧିକାରୀଙ୍କୁ କୁହାଯାଇଛି କି, ଥାନାକୁ ଅଭିଯୋଗ ଆସିବାମାତ୍ରେ ସେମାନେ ତୁରନ୍ତ ସଂପୃକ୍ତ ସଂସ୍ଥା ଉପରେ ଚଢାଉ କରି ଛାନ୍ଭିନ୍ କରିବେ । ଉକ୍ତ ସଂସ୍ଥା ରିଜର୍ଭବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ କିମ୍ବା ନୁହେଁ, ସଂସ୍ଥା କେଉଁଠି ପଞ୍ଜୀକୃତ ହୋଇଛି ଓ ସଂସ୍ଥା ପକ୍ଷରୁ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିବାକୁ ଅନୁମତି ଅଛି କିମ୍ବା ନାହିଁ ତାହାର ଖୋଳତାଡ଼ କରିବେ । ଯଦି ସାଧାରଣ ଲୋକଙ୍କୁ ସଂସ୍ଥା ଠକୁଥିବା ଜଣାପଡ଼େ, ତୁରନ୍ତ ସିଲ୍ କରି ଦିଆଯିବା ସହିତ କଳାତାଲିକା ଭୁକ୍ତ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି । ଯଦି ରାଜ୍ୟ ବାହାରେ ସଂସ୍ଥା ପଞ୍ଜୀକୃତ ହୋଇଥାଏ ତେବେ ସେଠାକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । ଏହାସହିତ ପୁଲିସ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରାଇବ । ଲୋକଙ୍କ ଟଙ୍କା କିଭଳି ସୁରକ୍ଷିତ ରହିବ ଏହା ପୁଲିସର କାମ ବୋଲି ଡିଜି ଡାକ୍ତର ଶର୍ମା ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଆର୍ବିଆଇ ପକ୍ଷରୁ ଗତ ଜାନୁଆରି ମାସରେ ପ୍ରଥମେ କ୍ରାଇମ୍ବ୍ରାଞ୍ଚକୁ ସର୍ତକ ସୂଚନା ଦିଆଯାଇଥିଲା । କୁହାଯାଇଥିଲା, ମାଇକ୍ରୋ ଫାଇନାନ୍ସ କ୍ରେଡିଟ୍ କୋପରେଟିଭ୍ ସୋସାଇଟି, ସମୃଦ୍ଧ ଜୀବନ ମଲଟି-ଷ୍ଟେଟ୍ ମଲଟିପ୍ରୋପଜ କପୋରେଟିଭ ସୋସାଇଟି, ପିଆଇସିଏଲ୍ ମଲ୍ଟି ଷ୍ଟେଟ୍ କ୍ରେଡିଟ୍ କୋପରେଟିଭ ସୋସାଇଟି, ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଏବେ ବି ଖୋଲାବଜାରରୁ ଟଙ୍କା ସଂଗ୍ରହ କରୁଛନ୍ତି । ଗତ ମାର୍ଚ ମାସ ୭ ତାରିଖରେ ପୁଣି ଥରେ ଆର୍ବିଆଇ ପକ୍ଷରୁ କ୍ରାଇମ୍ବ୍ରାଞ୍ଚକୁ ସର୍ତକ କରାଯାଇଥିଲା ଯେ, ଅର୍ଥତତ୍ତ୍ୱ ଗ୍ରୁପ୍, ମାଇକ୍ରୋ-ଫାଇନାନ୍ସ, ସ୍ୱସ୍ତିିକ ଇଣ୍ଡିଆ, ସମୃଦ୍ଧ ଜୀବନ ଭଳି ଚିଟ୍ଫଣ୍ଡ୍ କମ୍ପାନି ଏବେ ବି ରାଜ୍ୟରେ ସକ୍ରିୟ ଅଛନ୍ତି । ଏହା ପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୭୧୦୩ ପ୍ରଚଳନ ହୋଇଥିଲା ।
ଚିଟ୍ଫଣ୍ଡ୍ ସମ୍ପର୍କିତ ଖବର ଦେବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା । ପାଖାପାଖି ୫ ହଜାରରୁ ଅଧିକ ଫୋନ୍ କଲ୍ ପାଇ ସାରିଛି କ୍ରାଇମ୍ବ୍ରାଞ୍ଚ । ଗତ ୩ ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ୭୨ଟି ମାମଲା ରୁଜୁ କରି ୨୬୭ ଜଣଙ୍କୁ ଗିରଫ କରିଛି । ୨୦୧୫ ମସହାରେ ୨୫ଟି ମାମଲା ରୁଜୁ କରାଯାଇ ୬୬ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୬ ମସିହାରେ ୨୧ଟି ମାମଲା ରୁଜୁ କରାଯାଇ ୧୨୭, ୨୦୧୭ରେ ୨୬ ଟି ମାମଲା ରୁଜୁ କରାଯାଇ ୭୪ ଓ ୨୦୧୮ରେ ଏବେ ସୁଦ୍ଧା ୧୩ଟି ମାମଲା ରୁଜୁ କରାଯାଇ ୫୯ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ ।