ଓଡିଶା ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗିରଫ : ଦିଲ୍ଲୀ ସାକେତ କୋର୍ଟରେ ହେଲେ ହାଜର

142

କନକ ବ୍ୟୁରୋ : କୋଣାର୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ତଥା ଓଡ଼ିଆ ଲୋକଙ୍କ ଧାର୍ମିକ ଭାବନା ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଜିତ ଆୟର ମିତ୍ର ଶେଷରେ ଗିରଫ ହେଲେ । କୋଣାର୍କ, ପୁରୀ ଓ ରାଜ୍ୟ ବିଧାୟକଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଅଭିିଜିତ । ତେବେ ଦମ୍ ଅଛି ତ ଗିରଫ କର ବୋଲି ଚ୍ୟାଲେଞ୍ଜ ଦେଇଥିଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ । ଦିଲ୍ଲୀର ନିଜାମୁଦ୍ଦିନ ଥାନାରେ ତାଙ୍କୁ ଗିରଫ କରି ରଖାଯାଇଛି । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଛି । ଟ୍ରାନଜିଟ୍ ରିମାଣ୍ଡରେ ଆଣିପାରେ ଓଡ଼ିଶା ପୋଲିସ୍ ।

ଗତ ୧୫ ତାରିଖରେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଉଡି ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ସେ ଚପ୍ପରରେ ଚିଲିକା , କୋଣାର୍କ, ପୁରୀ ଓ ଅନ୍ୟନ୍ୟା ସ୍ଥାନ ବି ବୁଲିଥିଲେ । କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ଓଡିଶା ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କୋଣାର୍କ ମନ୍ଦିରକୁ ଅପମାନ କରିବା ସହ ଓଡ଼ିଶାକୁ ଏକ ଘଟିଆ ରାଜ୍ୟ ବୋଲି କହିଥିଲେ ଅଭିଜିତ । କୋଣାର୍କରେ ଖୋଦେଇ ହୋଇଥିବା ଚିତ୍ରକୁ ନେଇ ସମାଲୋଚନା କରିଥିଲେ । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ ଜରିଆରେ କହିଥିଲେ । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ଅନେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।

ଓଡିଶାକୁ ନୀଚା ଦେଖାଇବାକୁ ଯାଇ କହିଥିଲେ ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି । ଓଡିଶା ଭଳି କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ । ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା ବୋଲି ମଧ୍ୟ କହିଥିଲେ । ଏହା ବ୍ୟତୀତ ଓଡ଼ିଶାକୁ ଏକ ଘଟଇଆ ରାଜ୍ୟ ବୋଲି ମଧ୍ୟ କହିଥିଲେ । ନିଜ ଟ୍ୱିଟରେ ଅଭିଜିତ ରାଜ୍ୟର ବିଧାୟକଙ୍କ ଉପରେ ବି ନକାରାତ୍ମକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି ବିଧାନସଭାରେ ଏହାକୁ ନେଇ ଦଳମତ ନିର୍ବିଶେଷରେ ସବୁ ଦଳ ନିନ୍ଦା କରିଥିଲେ । ଏପରିକି ସ୍ୱାଧୀକାର ଭଙ୍ଗ ନୋଟିସ ବି ଆଣିଥିଲେ ବିରୋଧୀ ଦଳ ନେତା । ଶେଷରେ ଦିଲ୍ଲୀରେ ଅଭିଜିତଙ୍କୁ ଗିରଫ କରିଛି ଓଡିଶା ପୋଲିସ ।