ଆରୁଷି-ହେମରାଜ ହତ୍ୟା ମାମଲା ! ୪ ବର୍ଷ ପରେ ମୁକୁଳିଲେ ତଲୱାର ଦମ୍ପତି
କନକ ବ୍ୟୁରୋ : ୪ ବର୍ଷ ପରେ ମୁକ୍ତିର ଆନନ୍ଦ । ଆଜି ଜେଲରୁ ବାହାରିଛନ୍ତି ତଲୱାର ଦମ୍ପତି । କଡା ସୁରକ୍ଷା ମଧ୍ୟରେ ଡାକ୍ତର ଦମ୍ପତିଙ୍କୁ ଜେଲରୁ ନେଇ ଘରେ ଛାଡିଛି ପୋଲିସ । ଝିଅ ଆରୁଷି ହତ୍ୟା ମାମଲାରେ ରାଜେଶ ତଲୱାର ଓ ନୂପୁର ତଲୱାରଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଗତ ଗୁରୁବାର ଅହ୍ଲାବାଦ ହାଇକୋର୍ଟ ପ୍ରମାଣ ଅଭାବରୁ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ପରେ ଆଋଷିଙ୍କ ହତ୍ୟା କାହାଣୀରେ ନୂଆ ମୋଡ ଆସିଯାଇଛି ଏବଂ ସମସ୍ତେ ଅନୁଭବ କରୁଛନ୍ତି ନିର୍ଦ୍ଦୋଷ ବାପା-ମାଆଙ୍କୁ ଜେଲ ଭିତରେ ବନ୍ଦ କରିଦିଆଯାଇଛି । ଝିଅ ଆରୁଷି ହତ୍ୟା ମାମଲାରେ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ବି ତଲୱାର ଦମ୍ପତିଙ୍କ ମନରୁ ଝିଅକୁ ହରାଇବାର ଦୁଃଖ ଯାଇନାହିଁ ।
ଇଏ ଏକ ଏମିତି କାହାଣୀ, ଯାହାକୁ ବୟାନ କରିବା ସହଜ ନୁହେଁ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଗୋଟିଏ ପଟେ ସେହି ଝିଅର ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡ । କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଏସବୁ ପ୍ରଶ୍ନ ଓ ଆଇନ୍ର ଅକ୍ଟୋପସ୍ ଜାଲ ଭିତରେ ଛନ୍ଦି ହୋଇଯାଇଥିଲେ ତଲୱାର ଦମ୍ପତି । ଶେଷରେ ଅହ୍ଲାବାଦ ହାଇକୋର୍ଟ କହିଲେ, ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଜଜ୍, ଜଣେ ଫିଲ୍ମ ଡାଇରେକ୍ଟର ଓ ଗଣିତ ମାଷ୍ଟର ଭଳି ତରବରିଆ ଭାବେ ବିଚାର କରି ଦଣ୍ଡ ଶୁଣାଇଦେଲେ ।
ନଭେମ୍ବର ୨୦୧୩ ରୁ ପାଖାପାଖି ୪ ବର୍ଷ ହେଲା ଦାସନା ଜେଲରେ ବନ୍ଦୀ ଥିଲେ ତଲୱାର ଦମ୍ପତି । ଗତ ଗୁରୁବାର ଅହ୍ଲାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଝିଅ ଆରୁଷି ହତ୍ୟା ମାମଲାରେ ଦୋଷମୁକ୍ତ କରିଥିଲେ ବି କୋର୍ଟଙ୍କ ରାୟ କପି ଜେଲରେ ପହଂଚିପାରିନଥିଲା । ଆଉ ମଝିରେ ପଡିଗଲା ଶନିବାର ଓ ରବିବାର ଛୁଟିଦିନ । ଜେଲରେ ରହିବା ସମୟରେ ଡାକ୍ତର ଦମ୍ପତି ଜେଲରେ ଥିବା ଅନ୍ୟ କଏଦୀଙ୍କ ଦାନ୍ତ ଚିକିତ୍ସା କରୁଥିଲେ । ତେବେ ଜେଲରୁ ମୁକ୍ତ ହେବା ପରେ ବି ପ୍ରତି ୧୫ଦିନରେ ଥରେ ସେମାନେ ଜେଲ ଯାଇ ସେଠାରେ କଏଦୀଙ୍କ ଚିକିତ୍ସା କରିବେ ବୋଲି ଜଣାପଡିଛି ।