କନକ ବ୍ୟୁରୋ : ସଫେଇ କର୍ମଚାରୀ ନଥିବା ହେତୁ ଅସନା ହୋଇ ପଡ଼ିରହିଛି ଆହାର କେନ୍ଦ୍ର । ୫ ଦିନ ଧରି ଆହାର କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ନେଇ ସେଠାକୁ ଯାଇ ଖାଦ୍ୟ ଖାଇବାକୁ ଲୋକେ ନାକ ଟେକୁଛନ୍ତି । ଦଶପଲ୍ଲା କୁଞ୍ଜବନଗଡ଼ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏହି ଆହାର କେନ୍ଦ୍ର ଚାଲି ଆସୁଥିବା ବେଳେ ଦୈନିକ ୩ ଶହ ମିଲ୍ର ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ଆହାର କେନ୍ଦ୍ରରେ ୨ ଜଣ ସୁଇପର୍ କାର୍ଯ୍ୟ କରି ଆସୁଥିବା ବେଳେ କିଛି ଦିନ ହେଲା ଦରମା ପାଇନଥିବା ନେଇ ଜଣେ ମହିଳା ସୁଇପର କାମକୁ ଆସୁନଥିବା ଜଣାପଡିଛି ।
ଜଣେ ମାତ୍ର ସୁଇପର କାର୍ଯ୍ୟ କରୁଥିବା ବେଳେ ଆହାର କେନ୍ଦ୍ରର ସମସ୍ତ କାର୍ଯ୍ୟ କରିପାରୁ ନଥିବା ଦେଖିବାକୁ ମିଳିଛି । ଫଳରେ ଆହାର କେନ୍ଦ୍ରରେ ବାସନ ସବୁ ଆବର୍ଜନା ଭଳି ପଡ଼ିରହିବା ସହ ବିଭିନ୍ନ ସ୍ଥାନରେ ଖାଦ୍ୟ ଜମା ହୋଇରହୁଛି । ଏପଟେ ଖାଦ୍ୟ ଖାଇବାକୁ ଆସୁଥିବା ଲୋକେ ଏଭଳି ଅବ୍ୟବସ୍ଥା ଦେଖି ନାକ ଟେକୁଛନ୍ତି । ଏ ନେଇ ଏନ୍ଏସି ନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରମୋଦ କୁମାର ଦଳବେହେରା କହିଛନ୍ତି, ଆମର ଆହାର କେନ୍ଦ୍ରରେ ସୁଇପର୍ ନିଯୁକ୍ତି ଦିଆଯାଇ ନାହିଁ କିମ୍ବା ଏନ୍ଏସି ପକ୍ଷରୁ ଆହାର କେନ୍ଦ୍ରରେ ସୁଇପର୍ ନିଯୁକ୍ତି କରିବାର କୌଣସି ବ୍ୟବସ୍ଥା ନାହିଁ ।
ଆହାର କେନ୍ଦ୍ର ଦାୟିତ୍ବରେ ଥିବା ସଂସ୍ଥା ସୁଇପର୍ ନିଯୁକ୍ତି କରିବା କଥା ବୋଲି ସେ କହିଛନ୍ତି । କିନ୍ତୁ ଆହାର ଦାୟିତ୍ବରେ ଥିବା ରୋଟାରୀ କ୍ଲବ୍ର ସଭାପତି ରଣଜିତ ଦାଶ କହିଛନ୍ତି, ଜିଲ୍ଲାର ବିଭିନ୍ନ ଏନ୍ଏସି ଅଂଚଳରେ ଖୋଲାଯାଇଥିବା ଆହାର କେନ୍ଦ୍ରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଜଣ ଲେଖା ସୁଇପର୍ ଏନ୍ଏସି ପକ୍ଷରୁ ଯୋଗାଇ ଦିଆଯାଇଛି । ସୁଇପର୍ ନିଯୁକ୍ତି କରିବା ସଂସ୍ଥା ପକ୍ଷରୁ ନିୟମ ନଥିବା ସେ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।