କନକ ବ୍ୟୁରୋ : ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏଥିପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇ ନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି । ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ସବୁ ଜିଲ୍ଲାପାଳଙ୍କୁ ଚିଠି ‌ଲେଖି ତାଗିଦ୍ କରିଛନ୍ତି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନ କଲେ ଏପ୍ରିଲ୍‌ରୁ ଭତ୍ତା ମିଳିବ ନାହିଁ ବୋଲି ଜଣାଇ ଦେଇଛନ୍ତି  ।

Advertisment

ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍ ଯୋଜନାର ହିତାଧିକାରୀମାନଙ୍କୁ ଆଧାର୍‌ ଲିଙ୍କ୍ ୨୦୧୯ ଅକ୍ଟୋବର ସୁଦ୍ଧା‌ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ କୁହାଯାଇଥିଲା । ଏବେ ସୁଦ୍ଧା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ‌େର ୯୧ ପ୍ରତିଶତ ଓ ମଧୁବାବୁ ପେନସନ ଯୋଜନାରେ ୭୩% ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି । ଉଭୟ ଯୋଜନାରେ ଏହା ଶତ ପ୍ରତିଶତ ‌େହବାର ଆବଶ୍ୟକତା ରହିଛି । ଏ ଦିଗରେ ଜିଲ୍ଲାପାଳମାନେ ତତ୍ପରତା ପ୍ରକାଶ କରିବା ଉଚିତ ।

ଆସନ୍ତା ୧୫ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ୍ ଦସ୍ତାବିଜ୍ ନକଲ ସାଙ୍ଗରେ ଆଣିବାକୁ କୁହାଯିବ । ଯଦି ସେମାନେ ନ ଆଣନ୍ତି, ତାଙ୍କୁ ଫେବ୍ରୁଆରି ୧୫ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବ । ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନ ଥିବ ସେମାନଙ୍କୁ ଜାନୁଆରି ୧୫ରେ ନିକଟସ୍ଥ ବ୍ଲକ୍ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ ।
ଜାନୁଆରି ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନ୍ଦୋବସ୍ତ କରାଯିବ । ମାର୍ଚ୍ଚ ୧୫ ତାରିଖ ଭିତରେ ଆଧାର ଲିଙ୍କ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଯଦି କୌଣସି ହିତାଧିକାରୀଙ୍କ ଆଧାର ଲିଙ୍କ୍ ବିଫଳ ହୁଏ, ତେବେ ଏପ୍ରିଲ୍‌ ମାସରୁ ଭତ୍ତା ବନ୍ଦ କରିଦିଆଯିବ ବୋଲି ଶ୍ରୀ ଶର୍ମା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାରେ ଏବେ ରାଜ୍ୟର ପ୍ରାୟ ୪୮ଲକ୍ଷ ହିତାଧିକାରୀ ଅଛନ୍ତି ।